ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଚାଲିଥିବା ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କ ମତ ରଖିଛନ୍ତି। ନିଜ ଭାଷଣ ସମୟରେ ଯେବେ ଜୟଶଙ୍କର ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବିକୁ ଖଣ୍ଡନ କରୁଥିଲେ, ସେହି ସମୟରେ ବିରୋଧୀ ସାଂସଦ ଜୋରଦାର ହଙ୍ଗାମା ଆରମ୍ଭ କରିଥିଲେ। ଏହା ଉପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାହ କଂଗ୍ରେସକୁ ମୁହଁତୋଡ଼ ଜବାବ ଦେଇ କହିଛନ୍ତି, କଂଗ୍ରେସ ଏମିତି ଆହୁରି ୨୦ ବର୍ଷ ବିରୋଧୀ ଦଳ ପଦରେ ରହିବ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ବାରମ୍ବାର ମଝିରେ ବାଧା ଦେବା ଉପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଛିଡ଼ା ହୋଇ ସିଧାସଳଖ କଂଗ୍ରେସ ଉପରେ ଟାର୍ଗେଟ୍ କରିଛନ୍ତି। ଶାହ କହିଛନ୍ତି, ମୋର ଗୋଟିଏ କଥା ଉପରେ ଆପତ୍ତି ରହିଛି। ଭାରତର ବୈଦେଶିକ ମନ୍ତ୍ରୀ କିଛି କହୁଛନ୍ତି, ତାଙ୍କ ଉପରେ ବିରୋଧୀ ନେତାଙ୍କ ଭରସା ନାହିଁ। କିନ୍ତୁ ଅନ୍ୟ କିଏ କଣ କହିଲେ ତା ଉପରେ ଭରସା କରୁଛନ୍ତି। ଶାହ ତାତ୍ସଲ୍ୟ କରି କହିଛନ୍ତି, ମୁଁ ବୁଝି ପାରୁଛି ସେମାନଙ୍କ ପାର୍ଟିର ବିଦେଶରେ କଣ ମହତ୍ଵ ରହିଛି। ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ ଏହି ସବୁ ପାର୍ଟି ଗୃହ ଉପରେ ସବୁ ଅଭିଯୋଗ ଲଦିବେ। ଏଥିପାଇଁ ଆଜି କଂଗ୍ରେସ ପାର୍ଟି ବିରୋଧୀ ଆସନରେ ବସିଛି। ଆଉ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ବିରୋଧୀ ଆସନରେ ବସିବେ।
ଏହା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ କହିଛନ୍ତି, ମିଳିତ ଜାତିସଂଘର ୧୯୩ ସଦସ୍ୟ ଦେଶ ମଧ୍ୟରୁ ପାକିସ୍ତାନ ଓ ଚୀନ ଅନ୍ୟ ତିନି ଦେଶକୁ ବାଦ୍ ଦେଇ ଅନ୍ୟ ସବୁ ଦେଶ ଅପରେସନ ସିନ୍ଦୂରର ସମର୍ଥନ କରିଥିଲେ। ଜୟଶଙ୍କର କହିଛନ୍ତି, ପାକିସ୍ତାନର ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ସଦସ୍ୟ ହୋଇଥିବାରୁ ଏହି ମଞ୍ଚରେ ଭାରତ ପାଇଁ ସମର୍ଥନ ପ୍ରାପ୍ତ କରିବା କଠିନ ଥିଲା। ହେଲେ ଏପ୍ରିଲ ୨୫ର ବୟାନକୁ ଦେଖିଲେ ୟୁଏନଏସସି ପହଲଗାମ ହମଲାକୁ ନିନ୍ଦା କରିଛି।