ନୂଆଦିଲ୍ଲୀ: ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହେବା ଏବଂ ଲକ୍ଷ ଲକ୍ଷ ଯାତ୍ରୀ ହଇରାଣ ହେବା ପ୍ରସଙ୍ଗରେ ସରକାର ଇଣ୍ଡିଗୋ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ସରକାର କୋର୍ଟରେ କହିଛନ୍ତି ଯେ, ଏମିତି ସ୍ଥିତି ପାଇଁ କମ୍ପାନିକୁ ଦାୟୀ କରାଯାଇଛି । କୌଣସି ବି କମ୍ପାନିକୁ ଯାତ୍ରୀଙ୍କୁ ହଇରାଣ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ଏହା ପୂର୍ବରୁ ଇଣ୍ଡିଗୋର ରୁଟରେ ୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର ।
ଇଣ୍ଡିଗୋ ସଙ୍କଟ ଉପରେ ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ସ୍ଥିତିରେ ଦ୍ରୁତ ଗତିରେ ସୁଧାର ଆସୁଛି । ସୁରକ୍ଷା ସଂପୂର୍ଣ୍ଣ ଭାବେ ଲାଗୁ ହୋଇଛି । ଏହି ଘଟଣା ପାଇଁ ଇଣ୍ଡିଗୋକୁ ଦାୟୀ କରାଯାଇଛି । ଯାତ୍ରୀଙ୍କ ସୁବିଧା ଏବଂ ସମ୍ମାନର ରକ୍ଷା କରାଯାଉଛି । ଦେଶରେ ଅନ୍ୟ ଏୟାର ଲାଇନ ସ୍ୱାଭାବିକ ଭାବେ ସଞ୍ଚାଳନ ହେଉଛି । ଯାତ୍ରୀଙ୍କ ସହାୟତା ପାଇଁ ଉପାୟ କରାଯାଉଛି । ଡିଜିସିଏ ପକ୍ଷରୁ ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ରିପୋର୍ଟ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଯେ କୌଣସି ଏୟାର ଲାଇନ ହୋଇଥାଉ ନା କାହିଁକି କାହାରିକୁ ବି ଯାତ୍ରୀଙ୍କୁ ହଇରାଣ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ଏହା ପୂର୍ବରୁ ଇଣ୍ଡିଗୋ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି କୌଣସି ବି ନିୟମା କିମ୍ବା କାନୁନର ବ୍ୟବହାର ଜନତାଙ୍କୁ ସମସ୍ୟା କରିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ । ବିଜେପିର ସଂସଦୀୟ ଦଳ ବୈଠକ ସମୟରେ ପିଏମ ମୋଦୀ ଏହି କଥା କହିଛନ୍ତି । କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହାର ସୂଚନା ଦେଇ କହିଛନ୍ତି ଯେ, ପିଏମ ମୋଦି ଜୀବନ ସୁଧାର ପାଇଁ ପୁନର୍ଗଠନ ଉପରେ ଜୋର ଦେଇଛନ୍ତି । କେବଳ ଆର୍ଥିକ ସୁଧାର ନୁହେଁ ବରଂ ଦେଶର ସାଧାରଣ ଜନତାଙ୍କ ଜୀବନକୁ ସହଜ କରିବା ପାଇଁ ସୁଧାର ଜରୁରୀ । ଆମେ ଗାଇଡଲାଇନ ଦେଇଛୁ ଯଦ୍ୱାରା ଦେଶବାସୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସମସ୍ୟା ରହିବା ଉଚିତ୍ ନୁହେଁ ।
ସଂସଦରେ ପିଏମ ମୋଦୀ କହିଛନ୍ତି, ଆଇନ କାନୁନ ଭଲ ମାତ୍ର ସିଷ୍ଟମକୁ ଠିକ୍ କରିବା ପାଇଁ ଜନତାଙ୍କୁ ହଇରାଣ କରିବା ଉଚିତ୍ ନୁହେଁ । ଏମିତି କୌଣସି ଆଇନ ରହିବା ଉଚିତ୍ ନୁହେଁ ଯାହା ସାଧାରଣ ଜନତାଙ୍କୁ ହଇରାଣରେ ପକାଇବ । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଏମିତି ସମୟରେ ଅସିଛି ଯେଉଁ ସମୟରେ ଇଣ୍ଡିଗୋର ସଙ୍କଟ କାରଣରୁ ଦେଶର ଲକ୍ଷାଧିକ ଯାତ୍ରୀଙ୍କୁ ନାହିଁ ନ ଥିବାର ସମସ୍ୟା, ଯାତନା ଓ କଷ୍ଟର ସମ୍ମୁଖୀନ ହେବାକୁ ପଡିଛି ।
ଶତାଧିକ ଉଡାଣ ରଦ୍ଦ
ଉଲ୍ଲେଖନୀୟ ଇଣ୍ଡିଗୋର ସଙ୍କଟ ମଧ୍ୟରେ ମଙ୍ଗଳବାର ମଧ୍ୟ ଶତାଧିକ ଉଡାଣ ରଦ୍ଦ କରାଯାଇଛି. ଦିଲ୍ଲୀର ଇନ୍ଦିରା ଗାନ୍ଦୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅତି କମରେ ୧୩ ଉଡାଣ ରଦ୍ଦ କରାଯାଇଛି । ଏଥିରୁ ଆଠ ପ୍ରସ୍ଥାନ ଏବଂ ପାଞ୍ଚଟି ଆଗମନ ଉଡାଣ ସାମିଲ୍ । ଏହି ପରି ହାଇଦ୍ରାବାଦ ବିମାନ ବନ୍ଦରରେ ଆଜି ସକାଳ ୮ଟା ସୁଦ୍ଧା ୧୬ ଉଡାଣ ରଦ୍ଦ କରାଯାଇଛି । ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ମିଶାଇ କମ୍ପାନି ପ୍ରାୟ ୧୮୦ ଉଡାଣ ବାତିଲ୍ କରିଛି ।
Also read: ଜନସାଧାରଣଙ୍କୁ ହଇରାଣ କରିବାକୁ ଆଇନ ତିଆରି କରନାହିଁ, ଇଣ୍ଡିଗୋ ସଙ୍କଟବେଳେ କହିଲେ ପ୍ରଧାନମନ୍ତ୍ରୀ