ଜୟପୁର: ରାଜସ୍ଥାନରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ପ୍ରାୟ ୧୦୦ ଜଣ ଯୁବକଙ୍କୁ ଅନ୍ୟ ରାଜ୍ୟର ମେଡିକାଲ କାଉନସିଲର ନକଲି ସାର୍ଟିଫିକେଟ୍ ଆଧାରରେ ଡାକ୍ତର କରାଯାଇଥିଲା ଏବଂ ସେମାନଙ୍କୁ ଡାକ୍ତରଖାନାରେ ମଧ୍ୟ ନିୟୋଜିତ କରାଯାଇଥିଲା। ଏବେ ଏହି ଯୁବକମାନେ ଧରାପଡ଼ିଛନ୍ତି। ଡାକ୍ତରୀପାଠ ନପଢ଼ି ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି।
ମେଘାଳୟ, ଉତ୍ତରପ୍ରଦେଶ, ବିହାର, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟର ଏହି ଯୁବକମାନେ ଏଠାରେ ଡାକ୍ତର ଭାବେ ପଞ୍ଜୀକରଣ କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ଦେଖିବା ଆରମ୍ଭ କରିଥିଲେ। ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନବସାର ରାଜସ୍ଥାନ ମେଡିକାଲ କାଉନସିଲ (ଆରଏମସି)ର ରେଜିଷ୍ଟ୍ରାର ଡାକ୍ତର ରାଜେଶ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି।
ଜୟପୁରସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲର ଅତିରିକ୍ତ ଅଧୀକ୍ଷକଙ୍କୁ ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଚିକିତ୍ସା ବିଭାଗ ପ୍ରମୁଖ ଶାସନ ସଚିବ ଗାୟତ୍ରୀ ରାଠୋରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟି ତଦନ୍ତ ଆରମ୍ଭ କରିଛି। କମିଟିର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବକ ଜଣକ ଗୋଟିଏ ଦିନ ବି ଏମବିବିଏସ ପଢି ନାହାନ୍ତି।
ବିଭିନ୍ନ ରାଜ୍ୟ ମେଡିକାଲ କାଉନସିଲର ନକଲି ସାର୍ଟିଫିକେଟ ଦାଖଲ କରି ଯୁବକମାନେ ଆରଏମସିରେ ପଞ୍ଜୀକରଣ କରିଥିଲେ। ପଞ୍ଜୀକରଣ କରିବା ସମୟରେ ଅଧିକାରୀମାନେ ସେମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିନଥିଲେ କି ଏମ୍ ବିବିଏସ୍ ଡିଗ୍ରୀ ଯାଞ୍ଚ କରିନଥିଲେ। ଟଙ୍କା ନେଇ ଆରଏମସି ଅଧିକାରୀମାନେ ଜାଲିଆତି କରି ଦ୍ୱାଦଶ ପାସ୍ ଯୁବକଙ୍କୁ ଡାକ୍ତର ଭାବେ ପଞ୍ଜୀକୃତ କରିଥିବା ମଧ୍ୟ ସାମ୍ନାକୁ ଆସିଛି।
ଆରଏମସି ହେଉଛି ରାଜସ୍ଥାନରେ ଡାକ୍ତରଙ୍କ ପଞ୍ଜୀକରଣ କରୁଥିବା ଏକ ସରକାରୀ ସଂସ୍ଥା । ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ଏମବିବିଏସ ଶେଷ କରିବା ପରେ ଆରଏମସିରେ ପଞ୍ଜୀକରଣ କରିବା ଜରୁରୀ। ଏହି ଯୁବକମାନେ ବିଭିନ୍ନ ରାଜ୍ୟର ମେଡିକାଲ କାଉନସିଲ ନାମରେ ନକଲି ସାର୍ଟିଫିକେଟ ତିଆରି କରି ରାଜସ୍ଥାନରେ ପଞ୍ଜୀକରଣ କରିଥିଲେ କିମ୍ବା ସେହି ରାଜ୍ୟର ମେଡିକାଲ କାଉନସିଲରେ ଟଙ୍କା ଦେଇ ନକଲି ସାର୍ଟିଫିକେଟ ପାଇଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ବିନା ଟିକେଟରେ ଯାତ୍ରା କରନ୍ତୁ ନାହିଁ