ଶ୍ରୀନଗର, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ସୁରକ୍ଷା ବାହିନୀର ଯବାନମାନେ ଜମ୍ମୁ କଶ୍ମୀରରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀକୁ ଏହି ବଡ଼ଧରଣର ସଫଳତା ମିଳିଛି । ଆତଙ୍କବାଦୀମାନେ ଥିଲେ ଆତଙ୍କବାଦୀ ସଂଗଠଡ଼ ‘ଜୈଶ-ଇ-ମହମ୍ମଦ’ର ସଦସ୍ୟ । ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୁଲିସ କୁଲଗାମର ଆୱାତୋ ଅଞ୍ଚଳରେ ଅତର୍କିତ ଚଢ଼ଉ କରିଥିଲା । ଏହି ଅପରେଶନରେ ସେନା ଓ ସିଆରପିଏଫର ଯବାନମାନେ ମଧ୍ୟ ସାମିଲ ଥିଲେ । ଅପରେଶନ ସମୟରେ ସୁରକ୍ଷାବାହିନୀକୁ ଏକ ନିଦ୍ଦିଷ୍ଟ ସ୍ଥାନ ଉପରେ ସଂଦେହ ହୋଇଥିଲା । ତେବେ ସୁରକ୍ଷାବାହିନୀଙ୍କ ଉପରେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । କିନ୍ତୁ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ୩ ଜଣ ନକ୍ସଲ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ । ତେମେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ହେଲେ ବାଟପୋରାର ମହମ୍ମଦ ଶଫି ଓ ତାକିଆ ଗୋପାଳପୋରାର ମହମ୍ମଦ ଆସିଫ । ଏମାନେ ଜୈଶ-ଇ-ମହମ୍ମଦ ସଂଗଠନ ସହିତ ଜଡ଼ିତ ଥିଲେ । ସେହିପରି ଅନେକଗୁଡ଼ିଏ ଆତଙ୍କବାଦୀଙ୍କ ଦ୍ୱାରା କାରାଯାଇଥିବା ଅପରାଧିକ କାମରେ ସଂପୃକ୍ତ ଥିଲେ । କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି ଯେ, ପାକିସ୍ତାନୀ ଆତଙ୍କବାଦୀ ଜଣକ ଅନେକଗୁଡ଼ିଏ ଅପରାଧିକ କାମରେ ଜଡ଼ିତ ଥିଲା ।