କୋଲମ୍ବୋ, ଫେବୃଆରୀ ୨୭ (ଖବର ଓଡ଼ିଶା): ବିଶ୍ୱବାସୀଙ୍କୁ କରୋନା ଦେଇଥିବା ଚୀନ ଯଦିଓ ନିଜର ସ୍ୱଚ୍ଛତାକୁ ପ୍ରମାଣିତ କରିବାକୁ ଯାଇ ଟିକା ପ୍ରସ୍ତୁତ କରିଛି, ଏହା ଲୋକଙ୍କ ମନରେ ବିଶ୍ୱାସ ଆଣିପାରି ନାହିଁ । ଶ୍ରୀଲଙ୍କା ସ୍ପଷ୍ଟ ଭାବେ କହିଛି ଯେ, ଚୀନର ସିନୋଫାର୍ମରେ ଉତ୍ପାଦିତ ହୋଇଥିବା ଟିକା ଉପରେ ଭରସା କରାଯାଇ ପାରିବ ନାହିଁ । ଚୀନ ଠାରୁ ଟିକା ଆମାଦାନୀ ସ୍ଥଗିତ କରି ଶ୍ରୀଲଙ୍କା ଏବେ ଭାରତୀୟ ଟିକାକୁ ବ୍ୟବହାର କରିବା ଲାଗି ନିଷ୍ପତ୍ତି ନେଇଛି ।
ଶ୍ରୀଲଙ୍କା ତରଫରୁ କୁହାଯାଇଛି ଯେ, ଚୀନର ଟିକାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଭାରତରୁ ଆମଦାନୀ ହୋଇଥିବା ଅକ୍ସଫୋର୍ଟ ଓ ଆଷ୍ଟ୍ରାଜେନେକା ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କାର କ୍ୟାବିନେଟ ମୁଖପାତ୍ର ଡା. ରମେଶ ପଥିରାନା କହିଛନ୍ତି, ଚୀନର ଟିକା ସିନୋଫାର୍ମର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏପର୍ଯ୍ୟନ୍ତ ପୂରା ହୋଇନାହିଁ । ସିନୋଫାର୍ମ ଟିକାର ପଂଜିକରଣ ଡୋଜିୟର ମଧ୍ୟ ହୋଇନାହିଁ । ଏଥି ପାଇଁ ଆମେ ବର୍ତ୍ତମାନ ପରିପ୍ରେକ୍ଷୀରେ ଟିକାକୁ ହୋଲ୍ଡ କରି ରଖିଛୁ ।
ସେରମ ପ୍ରତିଷ୍ଠାନ ଦ୍ୱାରା ଉତ୍ପାଦିତ ହୋଇଥିବା ଟିକା ଉପରେ ଶ୍ରୀଲଙ୍କା ନିର୍ଭର କରୁଛି । ଯେତେବେଳେ ଚୀନ କଂପାନୀ ଠାରୁ ଜରୁରୀ ପ୍ରମାଣପତ୍ର ମିଳିବ, ତା’ପରେ ଯାଇ ବ୍ୟବହାର କରିବା ନେଇ ଚିନ୍ତା କରାଯାଇପାରିବ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଯାଏଁ ମଂଜୁରୀ ଦେଇ ନାହିଁ । ଶ୍ରୀଲଙ୍କା ନିଜର ୧୪ ଲକ୍ଷ ଲୋକଙ୍କ ଟିକାକରଣ ଲାଗି ଭାରତ ଉପରେ ନିର୍ଭର କରୁଛି ।