ମୁମ୍ବାଇ, ଜୁନ୍ ୨୫ (ଖବର ଓଡ଼ିଶା): ଶିବସେନାର ବରିଷ୍ଠ ନେତା ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ପାଖାପାଖି ୫୦ ଜଣ ବିଧାୟକଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ଶିବସେନା ଏହି ପ୍ରସଙ୍ଗରେ ନିଜର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଏହି ବୈଠକ ଆଜି ଅପରାହ୍ନ ୧ଟାରେ ମୁମ୍ବାଇସ୍ଥିତ ଶିବସେନା ଭବନରେ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେ ଭର୍ଚୁଆଲ ମାଧ୍ୟମରେ ବୈଠକରେ ସାମିଲ ହେବେ ଏବଂ ପାର୍ଟିର ପଦାଧିକାରୀ ବର୍ତ୍ତମାନ ଅବସ୍ଥା ଉପରେ ଅବଗତ ହୋଇ ଆଗାମୀ ଦିନ ପାଇଁ ପରାମର୍ଶ ମାଗିପାରନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶିବସୈନିକମାନେ ରାଜରାସ୍ତାକୁ ଓହ୍ଲାଇବେ । ସେମାନେ ଆଜି ମହାରାଷ୍ଟ୍ରରେ ପ୍ରଦର୍ଶନ କରିବେ । ଏହି ପ୍ରଦର୍ଶନ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥି ପ୍ରତି ପୋଲିସ ନଜର ରଖିଛି । ଏନେଇ ପୋଲିସ ସତର୍କ ସୂଚନା ମଧ୍ୟ ଜାରି କରିଛି । ବିଗତ ୬ ଦିନ ମଧ୍ୟରେ ମହାରାଷ୍ଟ୍ରରେ ରାଜନୈତିକ ଗତିବିଧି ବଢ଼ିଛି । ଏଭଳି ପରିସ୍ଥିତିରେ ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ’ଣ ନିଷ୍ପତ୍ତି ନେଉଛନ୍ତି ପୂରା ମହାରାଷ୍ଟ୍ର ସମେତ ଦେଶବାସୀ ନଜର ରଖିଛନ୍ତି । ଉଦ୍ଧବ ଠାକରେଙ୍କ ପୁଅ ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ବିର୍ଲା ମାତୋଶ୍ରୀ ସଭାଗୃହରେ ଯୁବ ଶିବସୈନିକଙ୍କୁ ସମ୍ବୋଧିତ କରିବେ ।
ମହାରାଷ୍ଟ୍ରର ରାଜନୈତିକ ସଂଗ୍ରାମରେ ଅଧିକ ଛଟପଟ ହେଉଛି ଏନସିପି । ସରକାର ବଞ୍ଚାଇବା ପାଇଁ ଏନସିପିର ଅଧ୍ୟକ୍ଷ ଲଗାତାର ବୈଠକ ଡାକୁଛନ୍ତି । ସେ ଆଜି ମଧ୍ୟ ନିଜ ନିବାସକୁ ଦଳୀୟ ନେତାଙ୍କୁ ବୈଠକ ପାଇଁ ଡାକିଛନ୍ତି । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।