ନୂଆଦିଲ୍ଲୀ, ଅକ୍ଟୋବର ୦୪ (ଖବର ଓଡ଼ିଶା): ନବରାତ୍ରୀରେ ଶେଷ ଦିନ ମା’ ସିଦ୍ଧିଦାତ୍ରୀଙ୍କ ପୂଜା ହୋଇଥାଏ । ଏହି ଦେବୀ ମା’ଙ୍କ ପୂର୍ଣ୍ଣ ସ୍ୱରୂପ । ଦେବୀଙ୍କ ଏହା ସବୁଠାରୁ ସିଦ୍ଧ ଅବତାର କୁହାଯାଇଥାଏ । କେବଳ ଏହି ଦିନ ଦେବୀ ମାଙ୍କ ଉପାସନା କରିବାରେ ସଂପୂଣ୍ଣ ନବରାତ୍ରିର ଉପାସନାର ଫଳ ମିଳିଥାଏ । ଦେବତା ହେଉ କି ମନୁଷ୍ୟ ସମସ୍ତଙ୍କୁ ସିଦ୍ଧି ଦେଉଥିବା ମା’ ସିଦ୍ଧିଦାତ୍ରୀ । ଏଥି ପାଇଁ ତାଙ୍କର ପୂଜା ବିନା ନବରାତ୍ରୀ ସଫଳ ହୋଇ ନଥାଏ । ଏହି ଦିନ କନ୍ୟାପୂଜନ ମଧ୍ୟ ହୋଇଥାଏ ।
ନବଦୁର୍ଗାର ୯ ମ ଓ ଅନ୍ତିମ ସ୍ୱରୂପ ସିଦ୍ଧିଦାତ୍ରୀ । ଏହି ଦେବୀ ପଦ୍ମଫୁଲରେ ବିରାଜମାନ କରନ୍ତି । ତାଙ୍କ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଥାଏ । ଗନ୍ଧର୍ବ, କିନ୍ନର, ନାଗ, ଦେବୀ-ଦେବତା ଓ ମନୁଷ୍ୟ ସମସ୍ତେ ତାଙ୍କର କୃପାରୁ ସିଦ୍ଧି ପ୍ରାପ୍ତ କରନ୍ତି । ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କ ଉପାସନା କରିବା ଦ୍ୱାରା ୯ ଦିନର ଉପାସନା ଫଳ ମିଳିଥାଏ ।
ଶାରଦୀୟ ନବରାତ୍ରିର ନବମୀ ତିଥି ଚଳିତ ବର୍ଷ ଅକ୍ଟୋବର ୩ ତାରିଖ ଅପରାହ୍ନ ୪ଟା ୩୭ ମିନିଟରୁ ଆରମ୍ଭ ହୋଇଛି । ଅକ୍ଟୋବର ୪ ତାରିଖ ଅପରାହ୍ନ ୨ଟା ୨୦ମିନିଟରେ ଏହା ଶେଷ ହେବ । ଉଦୟତିଥି ଅନୁସାରେ ନବରାତ୍ରି ନବମୀ ଅକ୍ଟୋବର ୪ ତାରିଖରେ ପାଳନ ହେଉଛି ।
ନବମୀରେ କନ୍ୟାପୂଜନର ଗୋଟିଏ ଦିନ ପୂର୍ବରୁ ଛୋଟ ଛୋଟ ଝିଅଙ୍କୁ ନିଜ ଘରକୁ ଆମନ୍ତ୍ରଣ କରାଯାଇଥାଏ । ଯଦି ଏହି କନ୍ୟାମାନଙ୍କର ବୟସ ୨ରୁ ୧୧ ବର୍ଷ, ତାହା ଭଲ । ନବମୀରେ ଘରକୁ ଆସୁଥିବା କନ୍ୟାମାନଙ୍କୁ ପୁଷ୍ପ ବର୍ଷା ସହିତ ସ୍ୱାଗତ କରାଯାଇଥାଏ । ନବଦୁର୍ଗାଙ୍କ ୯ଟି ନାରେ ଜୟକାର କରାଯାଏ । କନ୍ୟାମାନଙ୍କୁ ପରିଷ୍କାର ସ୍ଥାନରେ ଆସନରେ ବସାଇ ପାଦକୁ କ୍ଷୀରପୂର୍ଣ୍ଣ ଥାଳିରେ ପାଦ ଧୂଆଯାଏ ।
ଏହା ପରେ ସେମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନିଆଯାଇଥାଏ । ଅକ୍ଷତ ଫୁଲ ଏବଂ କୁମକୁ ଲଗାଯାଏ । ଏହା ପରେ ମା’ ଭଗବତୀଙ୍କୁ ମନେକରି ଖାଇବାକୁ ଦିଆଯାଏ । ଭୋଜନ ପରେ ନିଜ ସାମର୍ଥ୍ୟ ଅନୁସାରେ କନ୍ୟାମାନଙ୍କୁ ଉପହାର ଦିଆଯାଏ ।