ଆଜି ୩ୟ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ମମତା, ହିଂସା ବିରୋଧରେ ଧାରଣାରେ ବସିବେ ଜେପି ନଡ୍ଡା
Khabar Odisha:Nation-Mamta-Banerjee-will-take-CM-oath-for-third-time-as-JP-Nadda-will-sit-on-a-protest-against-WB-violence

କୋଲକାତା, ମେ ୦୫ (ଖବର ଓଡ଼ିଶା): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି । ଏହି ନିର୍ବାଚନରେ ତୃଣମୂଣ କଂଗ୍ରେସର ବିଜୟ ହୋଇଛି । ମାତ୍ର ନିର୍ବାଚନ ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଦେଖାଯାଇଛି । ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ପୂର୍ବାହ୍‌ନ ୧୦ଟା ୪୫ରେ ରାଜଭବନରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ । ଅନ୍ୟପଟରେ ପଶ୍ଚିମବଙ୍ଗରେ ହିଂସା ଜାରି ଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କୋଲକାତାରେ ଧାରଣାରେ ବସିବେ । 

କରୋନା ମହାମାରୀକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀଙ୍କ ଶପଥଗ୍ରହଣ ସମାରୋହରେ କେବଳ ୫୦ ଜଣ ଲୋକଙ୍କୁ ଆମନ୍ତ୍ରିତ କରାଯାଇଛି । ଏହି ଅତିଥି ତାଲିକାରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ, କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀ ଓ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । 

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶପଥଗ୍ରହଣ କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ କରି ଦିଆଯାଇଛି । କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବାହ୍ନ ୧୦ଟା ୪୫ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ୫୫ ମିନିଟ ଭିତରେ ହିଁ ଶେଷ ହେବ । ଶପଥଗ୍ରହଣ ପରେ ମମତା ସିଧାସଳଖ ନବନ୍ନା ଯିବେ ଏବଂ ସେଠାରେ ତାଙ୍କୁ ଗାର୍ଡ ଅଫ ଅର୍ନର ଦିଆଯିବ । ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ୨୯୨ରୁ ୨୧୩ ଆସନରେ ବିଜୟୀ ହୋଇ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି । ବିଜେପିକୁ ୭୭ଟି ଆସନରେ ବିଜୟ ମିଳିଛି । ୨ଟି ସିଟକୁ ଅନ୍ୟ ଦଳ ଦଖଲ କରିଛନ୍ତି । 

 

  • Tags:

Subscribe

National International State Sports Entertainment