ଉଦୟପୁର, ଜୁନ୍ ୩୦ (ଖବର ଓଡ଼ିଶା): ରାଜସ୍ଥାନର ଉଦୟପୁରରେ ଦିବାଲୋକରେ ହୋଇଥିବା କହ୍ନେୟାଲାଲଙ୍କ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ନିର୍ମମ ହତ୍ୟା ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମାମଲା ନେଇ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହାରି ମଧ୍ୟରେ କହ୍ନେୟାଲାଲଙ୍କ ପୁଅ ତରୁଣ ଓ ୟଶ ପିତାଙ୍କ ହତ୍ୟାକାରୀ ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଣ୍ଡ ଦାବି କରିଛନ୍ତି । ଏଥି ସହିତ ସେମାନେ ପୋଲିସ ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି ।
କହ୍ନେୟାଲାଲଙ୍କ ପୁଅ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭୁଲବଶତଃ ସେୟାର କରିଦେଇଥିଲୁ, ଏହାପରେ ଆମର ବାପାଙ୍କ ବିରୋଧରେ ପଡୋଶୀ ନାଜିମ ପୋଲିସରେ ଅଭିଯୋଗ ଆଣିଥିଲେ । ମାତ୍ର ୨୪ ଘଣ୍ଟା ପରେ ତାଙ୍କୁ ଜାମିନ ମିଳି ଯାଇଥିଲା । ଏହି ମାମଲାକୁ ନେଇ ବୁଝାମଣା ମଧ୍ୟ ହୋଇଥିଲା । ୪ରୁ ୫ ଦିନ ଯାଏଁ ଆମେ ଦୋକାନ ବନ୍ଦ ରଖିଥିଲୁ । କାରଣ ଆମକୁ ପ୍ରଶାସନ ତରଫରୁ ଦୋକାନ ବନ୍ଦ ରଖିବାକୁ କୁହାଯାଇଥିଲା । ଏହାରି ମଧ୍ୟରେ ବାପାଙ୍କୁ କେହି ଜଣେ ଧମକ ଦେଇଥିଲା । ଏହା ପରେ ଆମେ ଥାନାରେ ଏତଲା ଦେଇଥିଲୁ । ପୋଲିସ ସୁରକ୍ଷା ମଧ୍ୟ ମାଗିଥିଲୁ ।
କହ୍ନେୟାଲାଲଙ୍କ ପୁଅ କହିଛନ୍ତି ଯେ, ପୋଲିସ ସୁରକ୍ଷା ତାଙ୍କ ପରିବାରକୁ ମିଳିଥିଲା । କିନ୍ତୁ ୨ ଦିନ ପରେ ଏହି ସୁରକ୍ଷା ହଟାଇ ଦିଆଯାଇଥିଲା । ଏହା ପରେ ଯେତେବେଳେ ବାପା ଦୋକାନ ଖୋଲିଲେ, ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦିଆଗଲା । କେହି ଜଣେ ଆମକୁ ଫୋନରେ କହିଲେ, ତୁମର ବାପାଙ୍କୁ ହତ୍ୟା କରିଦିଆଯାଇଛି । କହ୍ନେୟାଲାଲଙ୍କ ପୁଅ ୟଶ କହିଛନ୍ତି ଯେ, ଯଦି ପୋଲିସ ସୁରକ୍ଷା ହଟାଯାଇ ନଥାନ୍ତା, ତା’ହେଲେ ବାପା ବଞ୍ଚି ଯାଇଥାନ୍ତେ ।
ସୂଚନାଯୋଗ୍ୟ, ଧାନମଣ୍ଡି ଥାନା ଅନ୍ତର୍ଗତ ଟେଲର କହ୍ନେୟାଲାଲଙ୍କୁ ଦିବାଲୋକରେ ତଣ୍ଟିକାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତ ରିୟାଜ ମହମ୍ମଦ ଓ ଗୋସ ମହମ୍ମଦଙ୍କୁ ପୋଲିସ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କୁ ରାଜସମନ୍ଦ ଜିଲ୍ଲାୀର ଭୀମା ଅଞ୍ଚଳରୁ ଗିରଫ କରାଯାଇଛି । ମୃତକଙ୍କ ପରିବାରକୁ ସରକାର ୩୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛି । ଏଥି ସହିତ ମୃତକଙ୍କ ପରିବାରର ୨ ଜଣ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ମଧ୍ୟ ଘୋଷଣା ହୋଇଛି । ଧାନମଣ୍ଡି ଥାନାର ଏଏସ୍ଆଇ ଭୱରଲାଲ ଅଭିଯୁକ୍ତମାନଙ୍କ ସହିତ ମାମଲାର ରଫାଦଫା କରିଥିବା ପାଇଁ ନିଲମ୍ବିତ ହୋଇଛନ୍ତି ।