ଗଣତନ୍ତ୍ର ଦିବସରେ ଦିନକ ପାଇଁ ବନ୍ଦ ରହିବା ପରେ ଜମ୍ମୁ କଶ୍ମୀରରେ ପୁଣି ଚାଲିଲା ଇଣ୍ଟରନେଟ
Khabar Odisha:Nation-Internet-resumed-again-in-Jammu-and-Kashmir-after-one-day-stop-on-Republic-Day

ଶ୍ରୀନଗର, ଜାନୁଆରୀ ୨୭ (ଖବର ଓଡ଼ିଶା): କଶ୍ମୀର ଘାଟିରେ ଗଣତନ୍ତ୍ର ଦିବସ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହେବା ପରେ ଦିନକ ପାଇଁ କଟକଣା କରାଯାଇଥିବା ୨-ଜି ଇଣ୍ଟରନେଟ ସେବାକୁ ପୁଣି ଥରେ ଚାଲୁ କରାଯାଇଛି । ପ୍ରଶାସନିକ ଅଧିକାରୀମାନେ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, କଶ୍ମୀରରେ ରବିବାର ସନ୍ଧ୍ୟା ୪ଟାରେ ମୋବାଇଲ ଟେଲିଫୋନ ସେବା ପୁଣି ଥରେ ଆରମ୍ଭ କରି ଦିଆଯାଇଛି । 

ଅଧିକାରୀ ଜଣକ କହିଛନ୍ତି, ୨-ଜି ମୋବାଇଲ ଇଣ୍ଟରନେଟ ସେବାକୁ ରାତି ପାଖାପାଖି ରାତି ୯ଟାରେ ପୁଣି ଥରେ ଆରମ୍ଭ କରାଯାଇଥିଲା । ଘାଟିରେ ୨୦୦୫ରୁ ଗଣତନ୍ତ୍ର ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଅବସରରେ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିବା ସୁରକ୍ଷା ବ୍ୟବସ୍ଥାର ଅନ୍ୟ ଏକ ଅଂଶବିଶେଷ । ସୂଚନାଯୋଗ୍ୟ ୨୦୦୫ରେ ଆତଙ୍କବାଦୀମାନେ ମୋବାଇଲ ଫୋନ ଜରିଆର ସ୍ୱାଧୀନତା ଦିବସ ସମାରୋହ ନିକଟରେ ଆଇଇଡି ବିସ୍ଫୋରଣ କରିଥିଲେ । ଏଥି ପାଇଁ ଏହି ଘଟଣା ପରଠାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଉଛି । 

ସୂଚନାଯୋଗ୍ୟ ଦୀର୍ଘ ୫ ମାସର ବ୍ୟବଧାନ ପରେ ଜମ୍ମୁ କଶ୍ମୀରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ଜମ୍ମୁ କଶ୍ମୀର ଲୋକଙ୍କୁ ପ୍ରଶାସନ ବଡ଼ ଉପହାର ଦେବାକୁ ଯାଇ ରାଜ୍ୟର ୨୦ଟି ଜିଲ୍ଲାରେ ଇଣ୍ଟରନେଟ ସେବା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟର ୨୦ଟି ଜିଲ୍ଲାରେ ଗତ ଶୁକ୍ରବାର ମଧ୍ୟରାତ୍ରୀ ଠାରୁ ଇଣ୍ଟରନେଟ ସେବା ପୁଣି ଥରେ ସ୍ୱାଭାବିକ ହୋଇଯିବା ପରେ ଯୁବଗୋଷ୍ଠୀ ଉତ୍ସାହିତ ଦେଖାଯାଇଛନ୍ତି । ଇଣ୍ଟରନେଟ ସେବା ଏବେ ଆଂଶିକ ଭାବେ ପ୍ରଭାବିତ ହେବ । କେବଳ ୩୦୧ ୱେବସାଇଟ ଖୋଲାଯାଇ ପାରିବ । ଏହା ବ୍ୟତୀତ ସୋସିଆଲ ମିଡିଆ ଆପ୍ଲିକେଶନ ବର୍ତ୍ତମାନ ପରିସ୍ଥିତିରେ କଟକଣା ରହିବ । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରକୁ ୨ ଟି କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା କରିବା ପୂର୍ବରୁ ଗତ ସ୍ୱାଧୀନତା ଦିବସ ପୂର୍ବରୁ ଇଣ୍ଟରନେଟ କଟକଣା ଜାରି କରାଯାଇଥିଲା ।

 

  • Tags:

Subscribe

National International State Sports Entertainment