ଗୁଆହାଟୀ, ଅଗଷ୍ଟ ୦୪ (ଖବର ଓଡ଼ିଶା): ଆସାମର ସରକାରୀ କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତି ରୋକିବା ପାଇଁ ଭିଜିଲାନ୍ସ ବିଭାଗ ଜୋରଦାର ଚଢ଼ଉ ଜାରି ରଖିଛି । ବୁଧବାର ଭିଜିଲାନ୍ସର ଏକ ଟିମ୍ କଛାର ଜିଲ୍ଲାର ଲଖୀପୁର ବନଖଣ୍ଡର ରେଞ୍ଜର ଲାଞ୍ଚ ଟଙ୍କା ସହ ଧରାପଡ଼ିଥିଲେ । ତାଙ୍କ କାର୍ଯ୍ୟାଳୟରେ ଚଢ଼ଉ ହେଉଥିବା ଜାଣିଲା ପରେ ସେ ନିଜର କାର୍ଯ୍ୟାଳୟରୁ ଟଙ୍କା ଧରି ପଳାୟନ କରିଥିଲେ । କିନ୍ତୁ ଭିଜିଲାନ୍ସ ଟିମ୍ ଗୋଟିଏ କିମି ଦୂରରେ ଦୌଡ଼ି ଦୌଡ଼ି ରେଞ୍ଜରଙ୍କୁ ଧରିଥିଲେ ।
ଆସାମର କଛାର ଜିଲ୍ଲା ଲଖୀପୁର ବନଖଣ୍ଡରେ କାର୍ଯ୍ୟରତ ରେଞ୍ଜର ଦେବ୍ରତ ଗୋଗୋଇ ବନ୍ୟ ସାମଗ୍ରୀ ଚାଲାଣ ବଦଳରେ ଦଲାଲ ଓ ମାଫିଆମାନଙ୍କର ଠାରୁ ଲାଞ୍ଚ ନେଉଥିବା ଦୀର୍ଘ ଦିନରୁ ଚର୍ଚ୍ଚା ହୋଇ ଆସୁଥିଲା । ରେଂଜର ଲାଞ୍ଚ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ରଣନୀତି କରାଯାଇଥିଲା । ରଂଗବୋଳା ଟଙ୍କା ମାଧ୍ୟମରେ ତାଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା । ବୁଧବାର ସେ ଲାଞ୍ଚ ଟଙ୍କା ନେବାର ଅଳ୍ପ ସମୟ ମଧ୍ୟରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ ।
ଆସାମ ପୋଲିସର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଜିପି ସିଂହ ଏହି ଅଭିଯାନ ସଂପର୍କରେ ଟୁଇଟ୍ କରିଛନ୍ତି । ରେଂଜରଙ୍କୁ ପଚରାଉଚରା କରାଯାଉଛି । ସେ କେତେ ଟଙ୍କା ଲାଞ୍ଚ ନେଉଥିଲେ, ତାହା ସର୍ବସାଧାରେଣରେ ସ୍ପଷ୍ଟ କରାଯାଇ ନାହିଁ । ଅଭିଯୁକ୍ତ ଗୋଗୋଇଙ୍କ ଗୁଆହାଟୀ ଓ ଜୋରହାଟସ୍ଥିତ ନିବାସରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛନ୍ତି ।