ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା): କରୋନାର ୩ୟ ଲହର ଦ୍ବାରା ଦିଲ୍ଲୀ ଓ ମୁମ୍ବାଇ ସର୍ବାଧିକ ପ୍ରଭାବିତ ହୋଇଛି। ଦେଶର ପ୍ରମୁଖ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା, ସମୀରନ ପଣ୍ଡା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀ ଓ ମୁମ୍ବାଇରେ କରୋନାର ୩ୟ ଲହର ଶୀର୍ଷରେ ପହଞ୍ଚି କି ନାହିଁ ଏହା ସ୍ପଷ୍ଟ ହୋଇନାହିଁ।
ଡା. ପଣ୍ଡା ଏକ ସାକ୍ଷାତକାରରେ କହିଛନ୍ତି ଯେ, କରୋନାର ୩ୟ ଲହର ପିକ୍ ସମୟ ନେଇ ଆମକୁ ଆହୁରି ୨ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଦିଲ୍ଲୀ ଓ ମୁମ୍ବାଇରେ କରୋନା ପିକ ସ୍ତରରେ ପହଞ୍ଚି ସାରିଛି ଏବଂ ଖରାପ ସମୟ ଅତିକ୍ରମ କରିସାରିଛି, ଏହା କହିବା ଠିକ୍ ହେବ ନାହିଁ। ଆମେ କେବଳ ସଂକ୍ରମଣ ଦର ହ୍ରାସ ଓ ପଜିଟିଭିଟି ଦର ଆଧାରରେ କିଛି କହିପାରିବା ନାହିଁ।
ଡା. ପଣ୍ଡା କହିଛନ୍ତି ଯେ, ପ୍ରମୁଖ ମହାନଗରୀରେ କୋଭିଡ-୧୯ର ଓମିକ୍ରନ ଓ ଡେଲ୍ଟା ମାମଲାର ଅନୁପାତ ପାଖାପାଖି ୮୦: ୨୦ ପ୍ରତିଶତ ରହୁଛି। ଭାରତରେ ଭିନ୍ନ ଭିନ୍ନ ରାଜ୍ୟରେ କରୋନା ଏକ ସମୟରେ ବୃଦ୍ଧି ହେଉନାହିଁ। ଆଗାମୀ ମାର୍ଚ୍ଚ ୧୧ ପରେ କରୋନା ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିବାର ପୂର୍ବାନୁମାନ କରାଯାଉଛି।