ମୁମ୍ବାଇ, ମେ ୧୩ (ଖବର ଓଡ଼ିଶା): ମହାରାଷ୍ଟ୍ରର ଅକୋଲାରେ ବିରଳ ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହ ଶୋଭାଯାତ୍ରାରେ ବର-କନ୍ୟାଙ୍କ ପୁଅ-ବୋହୂ, ଝିଅ-ଜ୍ୱାଇଁ, ନାତି-ନାତୁଣୀ ସାମିଲ ହୋଇଛନ୍ତି । ସେମାନେ ସମସ୍ତେ ଖୁସିରେ ନାଚିଛନ୍ତି । ଏହି ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି । ଏହା ପୂର୍ବତନ ରାଜ୍ୟ ରାଷ୍ଟ୍ରମନ୍ତ୍ରୀ ଓ ତାଙ୍କର ପତ୍ନୀଙ୍କ ବିବାହର ୪୧ତମ ବାର୍ଷିକୀ ଥିଲା । ଏହି ଅବସରରେ ପୁଅ ପୂରା ବିବାହ ସମାରୋହ ଭଳି ବ୍ୟବସ୍ଥା କରିଥିଲେ । ସମାରୋହରେ ଶହ ଶହ ଲୋକ ଆସିଥିଲେ ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକୋଲାର ପୂର୍ବତନ ରାଜ୍ୟ ମନ୍ତ୍ରୀ ଗୁଲାବରାଓ ଗାୱଡେ ଓ ତାଙ୍କର ପତ୍ନୀ ଆଶା ତାଇଙ୍କ ବିବାହର ୪୧ତମ ବାର୍ଷିକୀ ଥିଲା । ଏହି ମୁହୂର୍ତ୍ତକୁ ସ୍ୱତନ୍ତ୍ର ଭାବେ ସ୍ମରଣୀୟ କରିବା ପାଇଁ ଗୁଲାବରାଓଙ୍କ ବଡ଼ ପୁଅ ସଂଗ୍ରାମ ଗାୱଡେ କିଛି ଭିନ୍ନ କରିବାକୁ ପ୍ରସ୍ତୁତଥିଲେ । ପୁଅ ନିଜର ମା’-ବାପାଙ୍କୁ ପୁଣି ଥରେ ବିବାହ କରାଇଥିଲେ ।
ଏହି ବିବାହ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଓ ତାଙ୍କର ପତ୍ନୀଙ୍କୁ ହଳଦୀ ଓ ମେହନ୍ଦୀ କରାଯାଇଥିଲା । ପୁଅ-ବୋହୂ, ଝିଅ-ଜ୍ୱାଇ ଓ ନାତି-ନାତୁଣୀ ଏହି କାମ କରାଇଥିଲେ । ଏହା ପରେ ବର ଗୁଲାବରାଓ ଘୋଡାରେ ବସି ନିଜର କନ୍ୟାକୁ ଆଣିବାକୁ ଯାଇଥିଲେ । ସୂଚନାଯୋଗ୍ୟ ବର ଗୁଲାବରାଓଙ୍କ ବୟସ ୬୮ ବର୍ଷ ହେବ, ତାଙ୍କର ପତ୍ନୀଙ୍କ ବୟସ ୫୮ ବର୍ଷ ।
ଏହି ବିରଳ ଆୟୋଜନ ନେଇ ଗାୱଡେ ପରିବାରର ବଡ଼ପୁଅ ସଂଗ୍ରାମ କହିଛନ୍ତି ଯେ, ସେ ଯେତେବେଳେ ଛୋଟ ଥିଲେ, ମା’-ବାପାଙ୍କ ବିବାହର ଫଟୋ ଦେଖୁଥିଲେ । ସେ ଏକଦା କହିଥିଲେ ଯେ, ମୋତେ ଆପଣ ନିଜର ବିବାହରେ କାହିଁକି ନେଇ ନଥିଲେ । ଏହାକୁ ନେଇ ପରେ ସେ ଚିନ୍ତା କରିଥିଲେ ଯେ, ବିବାହର ବାର୍ଷିକୀରେ ଏବ ଆୟୋଜନ କରାଯାଇପାରିବ । ସଂଗ୍ରାମ କହିଛନ୍ତି ଯେ, ମୁଁ ବାପା-ମା’ଙ୍କ ବିବାହ ଆୟୋଜନ ନେଇ ବହୁତ ଖୁସି ଅନୁଭବ କରୁଛି । ବିବାହ କାର୍ଯ୍ୟକ୍ରମରେ ପରିବାର, ବନ୍ଧୁ-ବାନ୍ଧବ ମଧ୍ୟ ସାମିଲ ହୋଇପାରିଛନ୍ତି ।