ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଉପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି । କଂଗ୍ରେସ ଶନିବାର ଦାବି କରିଛି ଯେ, ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ଜାରି ମିଳିତ ବୟାନରୁ ସ୍ପଷ୍ଟ ହୋଇ ଯାଇଛି ଯେ, ଆଲିଙ୍ଗନ କରିବାର କୂଟନୀତିରେ ଭାରତକୁ କିଛି ସଫଳତା ମିଳିନି । ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶ କଟାକ୍ଷ କରି କହିଛନ୍ତି ଯେ, ‘ହାଉଡି ମୋଦୀ’ ଉପରେ ଭାରି ପଡିଲା ‘ନମସ୍ତେ ଟ୍ରମ୍ପ’ ।
‘ହାଉଡି ମୋଦୀ’ ଓ ‘ନମସ୍ତେ ଟ୍ରମ୍ପ’ ଟ୍ରମ୍ପଙ୍କ ଗତ କାର୍ଯ୍ୟକାଳ ସମୟରେ ଭାରତ ଓ ଆମେରିକା ସଂପର୍କ ସହ ଜଡିତ ଦୁଇଟି ବଡ ରାଜନୈତିକ ଓ କୂଟନୈତିକ କାର୍ଯ୍ୟକ୍ରମ ଥିଲା । ଏହା କ୍ରମଶଃ ଅହମ୍ମଦାବାଦ ଓ ହ୍ୟୁଷ୍ଟନରେ ଆୟୋଜିତ ହୋଇଥିଲା । ରମେଶ ଏକ୍ସରେ ପୋଷ୍ଟ କରିଛନ୍ତି, ଆମେରିକା-ଭାରତ ନିକଟରେ ଜାରି ବିବୃତିରେ ବିସ୍ତୃତ ସୂଚନା ଦିଆଯାଇ ନାହିଁ ।
ମାତ୍ର ଯେଉଁ କଥା ସାମ୍ନାକୁ ଆସିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ଭାରତ ଏବେ ରୁଷଠୁ ତେଲ କିଣିବ ନାହିଁ । ଆମେରିକା ଏହା ମଧ୍ୟ ଘୋଷଣା କରିଛି ଯେ, ଯଦି ଭାରତ ସିଧାସଳଖ କିମ୍ବା ପରୋକ୍ଷ ଭାବେ ରୁଷଠୁ ତେଲ କିଣେ ତେବେ ୨୫ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ପୁଣି ଥରେ ଲଗାଯାଇପାରେ ।
ଜୟରାମ ରମେଶ ଦାବି କରିଛନ୍ତି ଯେ, ଭାରତ, ଭାରତୀୟ କୃଷକଙ୍କ ମୂଲ୍ୟରେ ଆମେରିକା କୃଷକଙ୍କ ସହାୟତା ପାଇଁ ଭାରତ ଆମଦାନୀ ଶୁଳ୍କ ହ୍ରାସ କରିବ । ଆମେରିକାଠୁ ଭାରତର ବାର୍ଷିକ ଆମଦାନୀ ତିନି ଗୁଣ ବଢିଯିବ । ଅନ୍ୟପଟେ ଆମେରିକାକୁ ଭାରତର ଆଇଟି ଓ ଅନ୍ୟ ସେବାର ରପ୍ତାନୀକୁ ନେଇ ଅନିଶ୍ଚିତତା କାଏମ ରହିବ । ମୋଟାମୋଟି ଭାବେ ଭାରତ ଆମେରିକା ନିକଟରେ ଆତ୍ମସମର୍ପଣ କରିଥିବା ଜୟରାମ ରମେଶ କହିଛନ୍ତି ।
Also read: ବାଣିଜ୍ୟ ଚୁକ୍ତିରେ ଭାରତ ପାଇଁ ଖୁସି ଖବର! ରୁଷୀୟ ତୈଳ କ୍ରୟ ଉପରେ ୨୫% ଶୁଳ୍କ ଉଠାଇଲେ ଟ୍ରମ୍ପ