ମୁଜାଫ୍ଫରନଗର: ମୁଜାଫ୍ଫରନଗରରେ କାଉଁଡ଼ିଆ ଯାତ୍ରାକୁ ନେଇ ପୁଲିସ ସାମ୍ନାରେ କାଉଁଡିଆମାନେ ଉପଦ୍ରବ ସୃଷ୍ଟି କରିଛନ୍ତି। ଏକ କାରକୁ ଭାଙ୍ଗି ଦେଇଛନ୍ତି। ଆଖି ଆଗରେ ସବୁ ଘଟୁଥିଲେ ମଧ୍ୟ ପୁଲିସ ଉପଦ୍ରବକାରୀମାନଙ୍କୁ ନିୟନ୍ତ୍ରିତ କରିପାରି ନାହିଁ। କାଉଁଡିଆମାନଙ୍କ ତାଣ୍ଡବକୁ ପ୍ରତକ୍ଷ୍ୟଦର୍ଶୀ ମଧ୍ୟ ଅଟକାଇପାରି ନାହାନ୍ତି। ଛପ୍ପର ଥାନା ଅଧୀନ ୫୮ ନମ୍ବର ଜାତୀୟ ରାଜପଥରେ କାଉଁଡିଆମାନେ ଏହି ଅପ୍ରୀତିକର ଘଟଣା କରିଛନ୍ତି। କେବଳ ଏତିକି ନୁହେଁ କାର ଡ୍ରାଇଭର ଜୀବନ ବଞ୍ଚାଇବା ପାଇଁ ଏକ ଢାବାରେ ପଶିଯାଇଥିବା ବେଳେ ତାଙ୍କୁ କାଉଁଡିଆମାନେ ଟାଣିଆଣି ମାଡ଼ ମାରିଛନ୍ତି।
କୁହାଯାଉଛି ଯେ, ଯାତ୍ରା ସମୟରେ କାଉଁଡିଆମାନେ କାର ଧକ୍କାରେ ସାମାନ୍ୟ ଆହତ ହୋଇଥିଲେ। ଏହା ପରେ ସେମାନେ କାରକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଗାଡ଼ି ଭଙ୍ଗାରୁଜା ନେଇ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ଦଖୋଯାଉଛି ଯେ, କାଉଁଡିଆ ମାନେ କାର ଉପରକୁ ଚଢ଼ିଛନ୍ତି। କାରର ବଡ଼ି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କାଉଁଡିଆମାନେ ହରିଦ୍ବାରର ଗଂଗାଘାଟରୁ ଜଳଭାର ନେଇ ନିଜର ଗନ୍ତବ୍ୟ ପଥରେ ବାହାରିଥିଲେ।