ହାଇଦ୍ରାବାଦ: ହାଇଦ୍ରାବାଦର ଐତିହାସିକ ଚାରମୀନାର ସ୍ଥିତ ଗୁଲଜାର ହୌଜ ଅଞ୍ଚଳରେ ରବିବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଜନବହୁଳ ଓ ବ୍ୟବସାୟ ପାଇଁ ବ୍ୟବହୃତ ଏକ କୋଠାରେ ନିଆଁ ଲାଗିବାରୁ ଅତି କମରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ନିକଟ ଅତୀତରେ ହାଇଦ୍ରାବାଦର ସବୁଠୁ ଦୁଃଖଦ ଘଟଣା ବୋଲି କୁହାଯାଉଛି ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫ଟା ୩୦ରେ ନିଆଁ ଲାଗିଥିଲା । ଏହି ସମୟରେ ଅଧିକାଂଶ ଲୋକ ଗଭୀର ନିଦରେ ଶୋଇଥିଲେ । କୋଠାର ତଳେ ସ୍ଥିତ ଏକ ମୋତି ଦୋକାନରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଆଉ ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା ଏବଂ ପୂରା ବିଲ୍ଡିଂରେ ଧୂଆଁ ଭରି ଯାଇଥିଲା । ଧୂଆଁ କାରଣରୁ ଅଣନିଃଶ୍ୱାସୀ ହୋଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ।
ଅଗ୍ନିଶମ ବାହିନୀ ସୂଚନା ମିଳିବା ମାତ୍ରେ ୧୧ ଦମକଳ ଗାଡି ଘଟଣାସ୍ଥଳକୁ ପଠାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଏହା ବ୍ୟତୀତ ୨ ରେସକ୍ୟୁ ଟେଣ୍ଡର, ଗୋଟିଏ ବ୍ରୋଣ୍ଟୋ ସ୍କାଇଲିଫ୍ଟ, ୩ ୱାଟର ଟେଣ୍ଡର ଓ ଗୋଟିଏ ଫାୟର ଫାଇଟିଙ୍ଗ ରୋବୋଟର ସହାୟତା ନିଆଯାଇଥିଲା ।
ଆହତଙ୍କୁ ଡିଆରଡିଓ ହସ୍ପିଟାଲ, ଉସମାନିା ଜେନେରାଲ ହସ୍ପିଟାଲ ଓ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀଙ୍କ କହିବା କଥା ଅଗ୍ନିକାଣ୍ଡର ମୁଖ୍ୟ କାରଣ ସର୍ଟ ସର୍କିଟ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସରେ ଲେଖିଛନ୍ତି, ହାଇଦ୍ରାବାଦ, ତେଲେଙ୍ଗାନାରେ ଅଗ୍ନିକାଣ୍ଡରେ ଘଟିଥିବା ଧନଜୀବନ ହାନୀ ଖବର ଶୁଣି ବହୁତ ଦୁଃଖ ଲାଗିଲା । ଯେଉଁମାନେ ନିଜର ପରିଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ଗଭୀର ସମବେଦନା । ଆହତଙ୍କ ଶୀଘ୍ର ସୁସ୍ଥ କାମନା କରୁଛୁ ।