ନୂଆଦିଲ୍ଲୀ: ଦିଲ୍ଲୀର ଏକ ଆପାର୍ଟମେଣ୍ଟରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦ୍ୱାରକା ସେକ୍ଟର-୧୩ ସ୍ଥିତ ମଲ୍ଟିଷ୍ଟୋର ବିଲ୍ଡିଂ ‘ସବଦ ଆପାର୍ଟମେଣ୍ଟ’ରେ ଆଜି ସକାଳେ ନିଆଁ ଲାଗିଥିଲା । ଏହି ନିଆଁ କୋଠାର ଉପର ମହଲା ସ୍ଥିତ ଫ୍ଲାଟରେ ଲାଗିଥିଲା । ଧିରେ ଧିରେ ନିଆଁ ପୂରା ଫ୍ଲାଟକୁ ବ୍ୟାପି ଯାଇଥିଲା । ଏହି ଜୀବନ ବଞ୍ଚାଇବାକୁ ଯାଇ ଦୁଇ ପିଲାଙ୍କ ସହ ଜଣେ ବାପା ବିଲ୍ଡିଂରୁ ଡେଇଁ ପଡିଥିଲେ । ହେଲେ ତିନି ଜଣଙ୍କ ମୃତ୍ୟୁ ଘଟିଛି।
ଦମକଳ ବିଭାଗକୁ ସକାଳ ୧୦ଟାରେ ଅଗ୍ନିକାଣ୍ଡ ବିଷୟରେ ସୂଚନା ଦିଆଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏଥିରେ ଆପାର୍ପମେଣ୍ଟର ଉପର ମହଲା ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ୩୫ ବର୍ଷୀୟ ୟଶ ଯାଦବ ନିଆଁ ଲାଗିବା ପରେ ନିଜର ଦୁଇ ପିଲାଙ୍କ ସହ ବିଲ୍ଡିଂର ସାତ ମହଲାରୁ ଡେଇଁ ପଡିଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାର ସୂଚନା ମିଳିବା ମାତ୍ରେ ଦମକଳ ବାହିନୀର ଆଠ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ।