କୋଲକାତା: କୋଲକାତା ଆଇନ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ପୋଲିସ ବଡ ଖୁଲାସା କରିଛି । ପୋଲିସ ଅନୁଯାୟୀ, ଜୁନ ୨୫ରେ ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ନିଜର ମେଣ୍ଟର୍ସଙ୍କ ସହଯୋଗ ଲୋଡିଥିଲା । ଏହି ଘଟଣାରେ ଚାରି ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି ।
ପୋଲିସ ଅନୁସାରେ ଘଟଣା ପରେ ମନୋଜିତ ମିଶ୍ର ଦକ୍ଷିଣ କୋଲକାତାର ଅନେକ ଅଞ୍ଚଳ ଯାଇଥିଲା । ରାସବିହାରୀ, ଦେଶପ୍ରିୟ ପାର୍କ, ଗରିୟାହାଟ, ଫର୍ନ ରୋଡ ଓ ବାଲିଗଞ୍ଜ ଷ୍ଟେସନ ରୋଡ ବୁଲି ବୁଲି ନିଜର ପରିଚିତଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା । ମୋବାଇଲ ଟାୱାର ଡାଟାରୁ ଜଣା ପଡିଛି ଯେ, ସେ ପୋଲିସ ଷ୍ଟେସନ ନିକଟକୁ ଯାଇଥିଲା । ଜଣେ ତଦନ୍ତାକାରୀ ଅଧିକାରୀ କହିଛନ୍ତି ଯେ, ଜୁନ ୨୬ରେ ମନୋଜିତ ଦେଶପ୍ରିୟ ପାର୍କରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିଥିଲା । ମାତ୍ର ଉକ୍ତ ବ୍ୟକ୍ତି ମାମଲାର ଗମ୍ଭୀରତାକୁ ଦେଖି ସାହାଯ୍ୟ କରିବାକୁ ମନା କରି ଦେଇଥିଲେ । ଘଟଣାରୁ ପଛକୁ ହଟି ଯିବାକୁ ସେ ମନୋଜିତକୁ ପରାମର୍ଶ ଦେଇଥିଲେ ।
ପୋଲିସ ଅଧିକାରୀ କହିଛନ୍ତି ଯେ, ତିନି ଅଭିଯୁକ୍ତ ଘଟଣା ପରେ ଗାର୍ଡଙ୍କ ରୁମରେ ମଦ୍ୟପାନ କରିଥିଲେ । ସେମାନେ ସୁରକ୍ଷାଗାର୍ଡ ପିନାକୀ ବାନାର୍ଜୀଙ୍କୁ ଘଟଣା ବିଷୟରେ ଚୁପ୍ ରହିବାକୁ କହିଥିଲେ । ଏହାପରେ ତିନି ଅଭିଯୁକ୍ତ ଘଟଣା ଦିନ ରାତିରେ ଇଏମ ବାଇପାସରେ ଏକ ଢାବାକୁ ଯାଇ ରାତ୍ରଭୋଜନ କରିଥିଲେ । ସେଠାରୁ ପରବର୍ତ୍ତୀ ଦିନ ସକାଳେ ଘରକୁ ଫେରିଥିଲେ । କୋଲକାତା ପୋଲିସ ମାମଲାରେ ଆହୁରି ପ୍ରମାଣ ଯୋଗାଡ କରିବାକୁ ଉଦ୍ୟମ ଚଳାଇଛି । ଏଥିପାଇଁ ମୋବାଇଲ ଡାଟା ଏବଂ ଅନ୍ୟ ସୁରାଗ ନେଇ ତଦନ୍ତ ଜାରି ରହିଛି ।