ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ ମଧ୍ୟ ପ୍ରାଣହାନୀ ଘଟିଛି । ତାଙ୍କର ଚିହ୍ନଟ ଲେଫ୍ଟନାଣ୍ଟ ବିନୟ ନରୱାଲ ଭାବେ ହୋଇଛି । ସେ କୋଚିରେ ଭାରତୀୟ ନୌସେନାରେ ମୁତୟନ ଥିଲେ । ସେ ହରିୟାଣାର ବାସିନ୍ଦା ଏବଂ ବୟସ ମାତ୍ର ୨୬ ବର୍ଷ । ଗତ ଏପ୍ରିଲ ୧୬ରେ ତାଙ୍କର ବିବାହ ହୋଇଥିଲା । ସେ ପତ୍ନୀଙ୍କ ସହ ପହଲଗାମ ବୁଲିବାକୁ ଯାଇଥିଲେ । ତାଙ୍କ ମୃତ୍ୟୁକୁ ନେଇ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବିବାହକୁ ସପ୍ତାହେ ଯାଇନି ତାଙ୍କର ଦେହାନ୍ତ ଘଟିଛି ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଓଡିଆ ବି ସାମିଲ । ମୃତକ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ରେମୁଣାର ପ୍ରଶାନ୍ତ ଶତପଥୀ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି। ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ୟ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ୟ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ସେ ବାଲେଶ୍ବର ସିପେଟର କର୍ମଚାରୀ ଥିଲେ। ଦୁଇଦିନ ତଳେ ସେ ତାଙ୍କ ପତ୍ନୀ ଓ ପୁଅଙ୍କ ସହ କାଶ୍ମୀର ବୁଲିବା ପାଇଁ ଯାଇଥିଲେ।
ମୃତକଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ବି ସାମିଲ । ଆକ୍ରମଣ ଘଟିଥିବା ସ୍ଥାନର ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଅନେକ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ମିଳିଛି। ଜଣେ ମହିଳା ପର୍ୟ୍ୟଟକ କାନ୍ଦି କାନ୍ଦି ନିଜ ପରିଜନଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ଆତଙ୍କୀ ସଂଗଠନ ଞଜୠ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆତଙ୍କ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ ।