ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ସାଉଦି ଆରବର ନିଜର ଗସ୍ତକୁ ଅଧାରେ ଛାଡି ସେ ସ୍ୱଦେଶ ଫେରୁଛନ୍ତି । ଏପରିକି ସେଠାରେ ସ୍ୱତନ୍ତ୍ର ରାତ୍ରଭୋଜନରେ ବି ସାମିଲ ହୋଇ ନାହାନ୍ତି । ମଙ୍ଗଳବାର ରାତିରେ ହିଁ ସ୍ୱଦେଶ ଫେରିବେ ।
ପ୍ରଧାନମନ୍ତ୍ରୀଙ୍କୁ ଦୁଇ ଦିନିଆ ସାଉଦି ଆରବ ଯାତ୍ରା ସମାପ୍ତ କରି ବୁଧବାର ଫେରିବାର ଥିଲା । ମାତ୍ର ଆତଙ୍କବାଦୀ ଆକ୍ରମଣ କାରଣରୁ ତାଙ୍କ ତତ୍କାଳ ସ୍ୱଦେଶ ଫେରିବାକୁ ପଡିଛି । ମଙ୍ଗଳବାର ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେଦ୍ଦାରେ ପହଞ୍ଚିଥିଲେ । ସେଠାରେ ସେ ଦୁଇ ଦେଶର ମିତ୍ରତାକୁ ଆହୁରି ଘନିଷ୍ଠ କରିବା ପାଇଁ ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଥିଲେ । ସେ କହିଥିଲେ ଯେ, ଜଘନ୍ୟ କୃତ୍ୟରେ ସାମିଲ ଲୋକଙ୍କୁ ନ୍ୟାୟର କାଠଗଡାକୁ ଟଣାଯିବ । ଆତଙ୍କବାଦୀମାନଙ୍କୁ ଆଦୌ ଛଡା ଯିବ ନାହିଁ । ସେମାନଙ୍କ ହୀନ ଉଦ୍ଦେଶ୍ୟକୁ କେବେ ବି ସଫଳ ହେବାକୁ ଦିଆଯିବନି । ଆତଙ୍କବାଦ ସହ ଆମର ଲଢେଇ ଆହୁରି ଶାଣିତ ହେବ । ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନ ପ୍ରତି ମୋଦୀ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ଏଥିସହ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି । ପ୍ରଭାବିତଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯାଉଥିବା ମୋଦୀ କହିଥିଲେ ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଓଡିଆ ବି ସାମିଲ । ଦୁଇ ବିଦେଶୀ ନାଗରିକଙ୍କ ମଧ୍ୟ ପ୍ରାଣହାନୀ ଘଟିଛି । ଏହି ଘଟଣାକୁ ପୂରା ବିଶ୍ୱରେ ନିନ୍ଦା କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘଟଣାର ନିନ୍ଦା କରିବା ସହ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଭାରତ ସହ ଥିବା କହିଛନ୍ତି ।