ପାଟଣା: ନେପାଳରେ ଗତ କିଛି ଦିନ ହେଲା କ୍ରମାଗତ ବର୍ଷା ଜାରି ରହିଛି। ଏହି କାରଣରୁ ନେପାଳସ୍ଥିତ କୋସୀ ବ୍ୟାରେଜରୁ ରବିବାର ସମସ୍ତ ୫୬ଟି ଗେଟ୍ ଖୋଲିଦେଇ ଜଳ ନିଷ୍କାସନ କରାଯାଇଛି। କୋସୀ ନଦୀରେ ବର୍ଷାଜଳ ପ୍ରବାହିତ ହେଲା ପରେ ବିହାରର ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି।
କୋସୀ ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦିଆଯିବା ପରେ ରବିବାର ୩ ଲକ୍ଷ ୯୪ ହଜାର କ୍ୟୁସେକ ପାଣି ଛଡ଼ାଯାଇଛି। ଏହା ପରେ କୋସୀ ନଦୀର ଜଳସ୍ତର ବଢ଼ିଯାଇଛି। ବନ୍ୟା ପାଣି ଅନେକ ଗାଁକୁ ପ୍ରବେଶ କରିଛି। ଏହା ଦ୍ବାରା ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି।
କୋସୀ ନଦୀକୁ ବିହାରର ଶୋକ ବୋଲି ମଧ୍ୟ କୁହାଯାଏ। ଏହି ନଦୀରେ ଜଳସ୍ତର ବଢ଼ିବା ଦ୍ବାରା ସୁପୌଲ ଓ ମଧେପୁରା ଭଳି ଜିଲ୍ଳାରେ ବନ୍ୟା ହୋଇଥାଏ। ଚିନ୍ତାର ବିଷୟ ଯେ, ଚଳିତ ଜୁଲାଇ ମାସରେ ବିହାର ଦେଇ ପ୍ରବାହିତ କୋସୀ ନଦୀର ଜଳସ୍ତର ବଢ଼ିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ୪୪ ବର୍ଷ ପରେ କୋସୀ ନଦୀରେ ଜୁଲାଇ ମାସରେ ପାଖାପାଖି ୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି। ଏହାର କାରଣ କୋସୀ ବ୍ୟାରେଜ୍ର ୫୪ଟି ଗେଟ୍ ଖୋଲି ଦିଆଯାଇଛି। ସମ୍ଭାବିତ ବନ୍ୟା ମୁକାବିଲା ପାଇଁ ବିହାର ସରକାର ଓ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତ ଅଛନ୍ତି।