ବେଙ୍ଗାଲୁରୁ: ଦେଶରେ ପୁଣିଥରେ କରୋନା କାୟା ବିସ୍ତାର କରୁଥିବା ବେଳେ କର୍ଣ୍ଣାଟକରେ ୧୬ ଜଣ କୋଭିଡ୍ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ଏସିଆର କିଛି ଅଂଶ, ବିଶେଷକରି ସିଙ୍ଗାପୁର ଏବଂ ହଂକଂରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହା ଘୋଷଣା କରାଯାଇଛି। ପିଟିଆଇ ଦ୍ୱାରା ଉଦ୍ଧୃତ ସରକାରୀ ସଂଖ୍ୟା ଅନୁଯାୟୀ ସମଗ୍ର ଭାରତରେ ମେ ୧୯ ସୁଦ୍ଧା ସକ୍ରିୟ କୋଭିଡ୍ ମାମଲା ସଂଖ୍ୟା ୨୫୭ ଥିଲା । ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, କମ୍ ସଂକ୍ରମିତ ବ୍ୟକ୍ତିମାନେ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ। ଘରେ ରହି ଚିକିତ୍ସିତ ହୋଇପାରିବେ । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ପରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ଭାରତରେ ବର୍ତ୍ତମାନର କରୋନା ପରିସ୍ଥିତି ନିୟନ୍ତ୍ରଣରେ ରହିଛି।" ବୈଠକରେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCDC), ଜରୁରୀକାଳୀନ ଚିକିତ୍ସା ରିଲିଫ୍ ବିଭାଗ ଏବଂ ଅନ୍ୟାନ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ।ଦେଶର ବିଭିନ୍ନ ହସ୍ପିଟାଲଗୁଡ଼ିକୁ ଇନଫ୍ଲୁଏଞ୍ଜା ପରି ରୋଗ ଏବଂ ଗୁରୁତର ଶ୍ୱାସକ୍ରିୟା ସଂକ୍ରମଣ ମାମଲା ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଭାରତର ନିରୀକ୍ଷଣ ନେଟୱାର୍କ, ଯେଉଁଥିରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (IDSP) ଏବଂ ICMR ସିଷ୍ଟମ ଅନ୍ତର୍ଭୁକ୍ତ, କରୋନା ସମେତ ଅନ୍ୟାନ୍ୟ ଶ୍ୱାସକ୍ରିୟା ଭାଇରସଗୁଡ଼ିକୁ ଟ୍ରାକ୍ କରିବା ଜାରି ରଖିଛି । ତେବେ କରୋନା ସଂକ୍ରମଣ ବର୍ତ୍ତମାନ ବିଶ୍ୱରେ ପୁଣିଥରେ ଚିନ୍ତାର କାରଣ ପାଲଟିଥିବା ବେଳେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସମେତ ହସ୍ପିଟାଲଗୁଡ଼ିକ ଆଲର୍ଟରେ ରହିଛନ୍ତି।