ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ନ୍ୟାୟ ବ୍ୟବସ୍ଥାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ନ୍ୟାୟପାଳିକାର ସ୍ୱାଧୀନତାର ଅର୍ଥ ଏହା ନୁହେଁ ଯେ, ସର୍ବଦା ସରକାର ବିରୋଧରେ ନିଷ୍ପତ୍ତି ଶୁଣାଇବା । ସିଜେଆଇ ଜନତାଙ୍କୁ ବିଚାରପତିଙ୍କ ରାୟ ଉପରେ ବିଶ୍ୱାସ ରଖିବାକୁ ଅପିଲ୍ କରିଛନ୍ତି । ଏହା ସହିତ ନ୍ୟାୟିକ ବ୍ୟବସ୍ଥା କେମିତି ଅଧିକ ନିରପେକ୍ଷ ରହି ପାରିବ ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଚନ୍ଦ୍ରଚୂଡ କହିଛନ୍ତି, ମୁଁ ଯେବେ ଇଲେକ୍ଟୋରାଲ ବଣ୍ଡ ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ନିଷ୍ପତ୍ତି ଦେଲି ଏହାକୁ ନ୍ୟାୟପାଳିକାର ନିରପେକ୍ଷ ବୋଲି କୁହାଗଲା । ଯଦି ଆପଣ ଇଲେକ୍ଟୋରାଲ ବଣ୍ଡ ମାମଲାରେ ସରକାର ବିରୋଧରେ ରାୟ ଦେଉଛନ୍ତି ତେବେ ନ୍ୟାୟାଳୟର ସ୍ୱାଧୀନତା ଅଛି ବୋଲି କୁହାଯାଉଛି । କିନ୍ତୁ ଯେବେ କୌଣସି ମାମଲାରେ ସରକାରଙ୍କ ପକ୍ଷରେ ରାୟ ଚାଲିଯାଏ ତେବେ ନ୍ୟାପାଳିକାର ସ୍ୱାଧୀନତା ନାହିଁ ବୋଲି କୁହାଯାଉଛି । କିନ୍ତୁ ସ୍ୱାଧୀନତାର ଏହା ପରିଭାଷା ନୁହେଁ ବୋଲି ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି ।
ଏହା ସହିତ ସିଜେଆଇ ପ୍ରଧାନମନ୍ତ୍ରୀଙ୍କ ତାଙ୍କ ବାସଭବନକୁ ଗଣେଶ ପୂଜା ଅବସରରେ ଆସିବା ନେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଗଣପତି ପୂଜା ପାଇଁ ମୋ ଘର ଆସିଥିଲେ । ଏଥିରେ କିଛି ବି ଭୁଲ୍ ନୁହେଁ । କାରଣ ସାମାଜିକସ୍ତରରେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ସଂପର୍କିତ ବ୍ୟକ୍ତିଙ୍କ ମଧ୍ୟରେ ନିରନ୍ତର ବୈଠକ ହୋଇଥାଏ । ଆମେ ରାଷ୍ଟ୍ରପତି ଭବନରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଭେଟିଥାଉ । ଏଥିରୁ ଭୁଲ୍ ଅର୍ଥ ବାହାରିବା ଆଦୌ ସମୀଚିନ ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।