ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସଂପ୍ରତି ରୁଷ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କୁ ଭେଟିଥିଲେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏସ ଜୟଶଙ୍କରଙ୍କ ସାକ୍ଷାତର ଚିତ୍ର ଏବେ ସାମ୍ନାକୁ ଆସିଛି। ଟାରିଫ ଓ୍ଵାର ମଧ୍ୟରେ ଜୟଶଙ୍କର ରୁଷ ଗସ୍ତ କରି ଭାରତ ପକ୍ଷରୁ ଆମେରିକାକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି।
ଏକ ପୋଷ୍ଟରେ, ଏସ୍ ଜୟଶଙ୍କର ଲେଖିଛନ୍ତି, 'ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭଙ୍କ ସହିତ ଭାରତ-ରୁଷ ବ୍ୟବସାୟ ଫୋରମରେ ଯୋଗ ଦେଇ ମୁଁ ଆନନ୍ଦିତ। ଆମର ଅର୍ଥନୈତିକ ସମ୍ପର୍କର ଗଭୀର ସମ୍ଭାବନା ସମ୍ପର୍କରେ ବିଭିନ୍ନ ଆଞ୍ଚଳିକ ନେତାଙ୍କ ମୂଲ୍ୟାଙ୍କନ ଏବଂ ରିପୋର୍ଟ ପ୍ରଶଂସନୀୟ ରହିଛି। ଏକ ସ୍ଥାୟୀ ରଣନୈତିକ ସହଭାଗୀତାର ଏକ ଦୃଢ଼ ଏବଂ ସ୍ଥାୟୀ ଅର୍ଥନୈତିକ ଆଧାର ରହିବା ଆବଶ୍ୟକ ବୋଲି ଜୟଶଙ୍କର ଗୁରୁତ୍ୱାରୋପ କରିଥିଲେ।
ଉଲ୍ଲେଖନୀୟ ଏସ ଜୟଶଙ୍କର ଭାରତ-ରୁଷ ଆନ୍ତଃ-ସରକାରୀ କମିଶନ (IRIGC-TEC) ବୈଠକରେ ଯୋଗଦେବା ପାଇଁ ରୁଷରେ ପହଞ୍ଚିଛନ୍ତି। ଏ ସମ୍ପର୍କରେ, ଏସ ଜୟଶଙ୍କର ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଲେଖି କହିଛନ୍ତି ଯେ, ଆମେ ବାଣିଜ୍ୟ ଏବଂ ଆର୍ଥିକ କ୍ଷେତ୍ର, କୃଷି, ଶକ୍ତି, ଶିଳ୍ପ, ଦକ୍ଷତା ବିକାଶ, ଗତିଶୀଳତା, ଶିକ୍ଷା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବିଷୟରେ ବିସ୍ତୃତ ଆଲୋଚନା କରିଛୁ।
ଏହା ସହ ଜୟଶଙ୍କର ଆଜି ମସ୍କୋରେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭଙ୍କୁ ଭେଟିଛନ୍ତି। ଏହି ବୈଠକର ଫଟୋ ସେୟାର କରି ଏସ ଜୟଶଙ୍କର ଲେଖିଛନ୍ତି, 'ଆଜି ମସ୍କୋରେ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭଙ୍କୁ ଭେଟି ମୁଁ ଆନନ୍ଦିତ। ବାଣିଜ୍ୟ, ନିବେଶ, ଶକ୍ତି, ସାର, ସ୍ୱାସ୍ଥ୍ୟ, ଦକ୍ଷତା ଏବଂ ଗତିଶୀଳତା, ପ୍ରତିରକ୍ଷା ଏବଂ ଲୋକ-ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ସମେତ ଆମର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଦୁଇ ଦେଶ ୟୁକ୍ରେନ, ୟୁରୋପ, ଇରାନ, ପଶ୍ଚିମ ଏସିଆ, ଆଫଗାନିସ୍ତାନ ଏବଂ ଭାରତୀୟ ଉପମହାଦେଶ ଉପରେ ସାଂପ୍ରତିକ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଆମେ ଜାତିସଂଘ, G-20, ସାଂଘାଇ ସହଯୋଗ ସଂଗଠନ ଏବଂ BRICS ରେ ଆମର ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଛୁ। ଆମର ବୈଠକ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀ ପାଇଁ ବେଶ ସହାୟକ ହେବ ବୋଲି ଜୟଶଙ୍କର କହିଛନ୍ତି।