ନୂଆଦିଲ୍ଲୀ: ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ଦିନ ଧରି ଉତ୍ତେଜନା ଚରମରେ ରହିଥିଲା। ଏହି ସମୟରେ ଦୁଇ ଦେଶ ପରସ୍ପର ଉପରେ ଲଢୁଆ ବିମାନ, ଡ୍ରୋନ, ମିସାଇଲରେ ହମଲା କରିଥିଲେ। ହେଲେ ପାକିସ୍ତାନର ସବୁ ହମଲାକୁ ପଣ୍ଡ କରିଥିଲେ ଭାରତୀୟ ସେନା। କିନ୍ତୁ ଭାରତର ସଠିକ ହମଲାରେ ପାକିସ୍ତାନର ଅହେୁତକ କ୍ଷତି ଘଟିଛି। ଅପରେସନ ସିନ୍ଦୂରରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭାରତର ଅନେକ ଫାଇଟର ଜେଟ୍କୁ ଧ୍ଵଂସ କରିଥିବା ଦାବି କରି ଆସିଛି। ଏବେ ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ) ଅନିଲ ଚୌହାନ ଲଢୁଆ ବିମାନର କ୍ଷତି ଘଟିଥିବା କଥାକୁ ସ୍ଵୀକାର କରିଛନ୍ତି। କିନ୍ତୁ ପାକିସ୍ତାନ ଦାବିକୁ ସେ ସଂପୂର୍ଣ୍ଣ ଅଗ୍ରାହ୍ୟ କରିଛନ୍ତି। ପାକିସ୍ତାନ ଦାବି କରି ଆସିଛି ଯେ, ତାର ସେନା ଭାରତର ୬ ଲଢୁଆ ବିମାନକୁ ମାରି ଖସାଇଛି।
ଶାଙ୍ଗରୀ ଲା ବାର୍ତ୍ତା ସାଡଲାଇନରେ ବ୍ଲୁମର୍ଗକୁ ଦିଆଯାଇଥିବା ସାକ୍ଷାତକାରରେ ସିଡିଏସ ଜେନେରାଲ ଅନିଲ ଚୌହାନ କହିଛନ୍ତି, ଏହା ମହତ୍ଵପୂର୍ଣ୍ଣ ନୁହେଁ ଯେ, କେତେ ବିମାନ ଖସିଲା ବରଂ ଏହାକୁ କାହିଁକି ମାରି ଖସାଗଲା ଏବଂ କଣ ତ୍ରୁଟି କରାଯାଇଥିଲା। ସଂଖ୍ୟା ମହତ୍ଵପୂର୍ଣ୍ଣ ନୁହେଁ। ରୟଟର୍ସକୁ ଦେଇଥିବା ଆଉ ଏକ ସାକ୍ଷାତକାରରେ ଜେନେରାଲ ଚୌହାନ କହିଛନ୍ତି, ଭାରତର ଯାହା ବି କ୍ଷତି ଘଟିଲା ତାହା ମେ ୭ ତାରିଖ ପ୍ରାରମ୍ଭିକ ପର୍ଯ୍ୟାୟରେ ଘଟିଥିଲା, ଯେତେବେଳେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା। ମୁଁ କେବଳ ଏତିକି କହି ପାରିବି, ମେ ୭ ତାରିଖ ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ଘଟିଥିଲା। ମହତ୍ଵପୂର୍ଣ୍ଣ କଥା ଏହି କ୍ଷତି କେମିତି ଘଟିଲା ଏବଂ ଏହା ପରେ ଆମେ କଣ କରିଛୁ।
ସେ କହିଛନ୍ତି, ଭଲ କଥା ଏହା ଯେ ଆମେ ନିଜର ସାମରିକ ତ୍ରୁଟି ବୁଝି ପାରିଲୁ, ତାକୁ ସୁଧାରିଲୁ ଏବଂ ଦୁଇ ଦିନ ପରେ ପୁଣି ଲାଗୁ କଲୁ। ଆମେ ନିଜର ସମସ୍ତ ଲଢୁଆ ବିମାନକୁ ପୁଣି ଥରେ ଦୂରଗାମୀ ଲକ୍ଷ୍ୟ କରି ଉଡ଼ାଇଲୁ। ପାକିସ୍ତାନର ସଠିକ ଠିକଣାରେ ଏୟାର ଷ୍ଟ୍ରାଇକ କଲୁ। ଅସ୍ତ୍ରବିରତି ଲାଗୁ ହେବା ବେଳକୁ ପାକିସ୍ତାନର ବହୁତ କ୍ଷତି କରି ସାରିଥିଲୁ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ମେ ୬ ଓ ମେ ୭ ତାରିଖ ରାତିରେ ଅପରେସନ ସିନ୍ଦୂର ଚଲାଇ ପାକିସ୍ତାନ ଓ ପିଓକେ ସ୍ଥିତ ୯ଟି ଆତଙ୍କୀ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରି ଧ୍ଵଂସ କରିଥିଲା। ଏଥିରେ ୧୦୦ରୁ ଅଧିକ ଜୈଶ ଓ ଲସ୍କରର ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପରେ ପାକିସ୍ତାନ ମଧ୍ୟ ଭାରତ ଉପରେ ଡ୍ରୋନ ହମଲା କରିବାକୁ ଉଦ୍ୟମ କରିଥିଲା। ମାତ୍ର ଏହାକୁ ଆକାଶରେ ମାରି ଖସାଇ ଦିଆଯାଇଥିଲା। ପୁଣି ଭାରତ ପାକିସ୍ତାନର ୧୧ ଏୟାରବେସ୍ ଉପରେ ଆକ୍ରମଣ କରି ଧ୍ଵସ୍ତ କରିଥିଲା।