ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ଏବଂ ତାଙ୍କ ଦଳ ମଧ୍ୟରେ ତାଳମେଳକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହିତ ତାଙ୍କର ଫଟୋକୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଫଟୋଟି ଭାରତ-ବ୍ରିଟେନ୍ ବାଣିଜ୍ୟିକ ଚୁକ୍ତିନାମା ଉପରେ ଆଲୋଚନା ବେଳର ଅଟେ । ଯେଉଁଥିରେ ବ୍ରିଟେନ୍ ରାଜ୍ୟ ବାଣିଜ୍ୟିକ ସଚିବ ଜୋନାଥନ୍ ରେନୋଲ୍ଡସ୍ ମଧ୍ୟ ଅଛନ୍ତି ।
ଶଶି ଥରୁର ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ବ୍ରିଟେନର ବାଣିଜ୍ୟିକ ସଚିବ ଜୋନାଥନ ରେନୋଲ୍ଡସ୍, ଭାରତୀୟ ପ୍ରତିପକ୍ଷ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ କଥା ହୋଇ ଭଲ ଲାଗିଲା । ଦୀର୍ଘ ଦିନ ଧରି ଅଟକି ରହିଥିବା FTA ଆଲୋଚନା ପୁନର୍ବାର ଆରମ୍ଭ ହୋଇଛି, ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ”। ଶଶିଙ୍କ ଏହି ପୋଷ୍ଟ ଏବେ ରାଜନୀତି ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।
କେରଳରେ ଶାସକ ସିପିଏମ୍ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା ସରକାରଙ୍କ ନୀତିକୁ ପ୍ରଶଂସା କରିବା ପରେ କଂଗ୍ରେସ ସହିତ ଶଶିଙ୍କ ସମ୍ପର୍କ ତିକ୍ତ ହୋଇଛି । କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ । ବାମ ସରକାର ଅଧୀନରେ ରାଜ୍ୟର ବିକାଶକୁ ପ୍ରଶଂସା କରିବା ପାଇଁ ଶଶି ଥରୁରଙ୍କୁ ସମାଲୋଚନା କରାଯାଇଥିଲା। ପ୍ରକୃତରେ ଥରୁର ରାଜ୍ୟର ବିକାଶର କିଛି ଦିଗ ବିଷୟରେ ସକାରାତ୍ମକ କଥା କହିଥିଲେ। ପରେ ସେ ସ୍ପଷ୍ଟ କରିଥିଲେ ଯେ ସେ ପ୍ରକୃତରେ ସିପିଏମର ପ୍ରଶଂସା କରିନଥିଲେ ବରଂ କେବଳ ଷ୍ଟାର୍ଟଅପ୍ କ୍ଷେତ୍ରରେ କେରଳର ପ୍ରଗତିକୁ ଆଲୋକପାତ କରିବାକୁ ଚେଷ୍ଟା କରିଥିଲେ।
ଶଶି ଥରୁର ୨୦୦୯ ମସିହାରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଆଜି ସେ ଅଭିଜ୍ଞ ରାଜନେତା । ସେ ତିରୁବନନ୍ତପୁରମରୁ ଚାରିଥର ସାଂସଦ ହୋଇଛନ୍ତି । ତାଙ୍କର ଉତ୍କୃଷ୍ଟ ଇଂରାଜୀ ଏବଂ କଥାବାର୍ତ୍ତା କରିବାର ଶୈଳୀ ସମସ୍ତଙ୍କୁ ପସନ୍ଦ ।