ଖବର ଓଡିଶା : 10/03/2023:
ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରଥମଥର ଭାରତରେ ଏହି ରୋଗରେ ହରିଆଣାରେ ଜଣେ ଓ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭାଇରସରେ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଚ୧ଏନ୧ ଭାଇରସ ମଧ୍ୟ ୮ ଜଣଙ୍କ ଶରୀରରୁ ଚିହ୍ନଟ ହୋଇଛି। ବିଗତ କିଛି ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ଦିନକୁ ବଢ଼ିବାରେ ଲାଗିଛି। ଅଧିକାଂଶ ସଂକ୍ରମଣ ଏଚ୩ଏନ୨ ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି । ଏହି ଭାଇରସ ହଂକଂ ଫ୍ଲୁ ଭାବେ ମଧ୍ୟ ଜଣାଶୁଣା। ଇନଫ୍ଲୁଏଞ୍ଜା ଏ ସବଟାଇପ ହେଉଛି ଏଚ୩ଏନ୨ ଭାଇରସ । ଅନ୍ୟ ସବ ଟାଇପ ଅପେକ୍ଷା ଏଚ୩ଏନ୨ ଭାଇରସ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ ମତରେ ବିଗତ ୨ରୁ ୩ ମାସ ହେଲାଣି ଏଚ୩ଏନ୨ ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ଲୋକମାନେ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢିବାରେ ଲାଗିଛି । ଚିନ୍ତାର ବିଷୟ ଏହା ଯେ ଏଚ୩ଏନ୨ ଭୂତାଣୁ ଯୋଗୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତିଙ୍କର ହରିଆଣାରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ କର୍ଣ୍ଣାଟକରେ ହୋଇଛି । ସାରା ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭୂତାଣୁ ଯୋଗୁ ୯୦ଟି ମାମଲା ସାମ୍ନାକୁ ଆସିଛି । ଇନଫ୍ଲ୍ୟୁଏଞ୍ଜା ତିନି ପ୍ରକାରର ହୋଇଥାଏ । ଏଗୁଡିକ ହେଉଛି ଏଚ୧ଏନ୧, ଏଚ୩ଏନ୨, ଇନଫ୍ଲ୍ୟୁଏନଞ୍ଜା ବି । ଭାରତରେ ବର୍ତ୍ତମାନ ଦୁଇ ପ୍ରକାରର ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ଏଚ୧ଏନ୧, ଏଚ୩ଏନ୨ ଭୂତାଣୁ ଚିହ୍ନଟ ହୋଇଛି । ସାଧାରଣ ଭାବେ ଇନଫ୍ଲ୍ୟୁଏଞ୍ଜାରେ ଶିକାର ହେଉଥିବା ବ୍ୟକ୍ତିର କାଶ, ଥଣ୍ଡା, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । କଫର ମଧ୍ୟ ସାମ୍ନା କରିଥାନ୍ତି ଅନେକ ସାଧାରଣ ଲୋକେ । ରୋଗୀର ଗଳାରେ କଷ୍ଟ ହୋଇଥାଏ, ପ୍ରବଳ ମୁଣ୍ଡ ବିନ୍ଧା ହୋଇଥାଏ । ଏହା ଛଡା ଡାଇରିଆର ମଧ୍ୟ ଶିକାର ହୋଇଥାଏ ରୋଗୀ । ବର୍ତମାନ ଇନଫ୍ଲ୍ୟୁଏଞ୍ଜା ସଂକ୍ରମିତ ଏହି ରୋଗୀଙ୍କ ସଂଖ୍ୟା ଡାକ୍ତରଖାନାରେ୪୦ ପ୍ରତିଶତ ବୃଦ୍ଧି ହୋଇଛି । କେନ୍ଦ୍ର ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଦେଶର ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।