ନୂଆଦିଲ୍ଲୀ: ଭାରତୀୟ ସେନା ପ୍ରସ୍ତାବ ଦେଇଛି ଯେ, କାର୍ଯ୍ୟରତ ବେଳେ ଅଗ୍ନିବୀରଙ୍କ ଯଦି ବୀରଗତି ହୁଏ, ଏହି କ୍ଷେତ୍ରରେ ତାଙ୍କର ପରିବାରକୁ ଭରଣପୋଷଣ ପାଇଁ ଭତ୍ତା ଭଳି ସୁବିଧା ଦିଆଯାଉ। ଏଥି ସହିତ ସେନା ଏହା ମଧ୍ୟ ପ୍ରସ୍ତାବ ଦେଇଛି ଯେ, ୫୦ ପ୍ରତିଶତ ଅଥବା ଏଥିରୁ ଅଧିକ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଏବେ ଅଗ୍ନିବୀର ଯୋଜନା ବଳରେ ୨୫ ପ୍ରତିଶତ ଯବାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି।
ସେନା ପାଖାପାଖି ୪ ମାସ ପର୍ଯ୍ୟନ୍ତ ନିଜର ସମସ୍ତ ୟୁନିଟରୁ ଅଗ୍ନିପଥ ଯୋଜନା ଓ ଅଗ୍ନିବୀରକୁ ନେଇ ଫିଡବ୍ୟାକ୍ ନେଇଥିଲା ଏବଂ ସେନା ଭିତରେ ପୂରା ସର୍ଭେ କରିଥିଲା। ସେନା କିଛି ଦିନ ପୂର୍ବରୁ ଫିଡବେକ ଓ ସର୍ଭେ ଆଧାରରେ ପ୍ରସ୍ତାବକୁ ଡିପାର୍ଟମେଣ୍ଟ ଅଫ ମିଲିଟାରି ଆୟାର୍ସ ଅର୍ଥାତ ଡିଏମ୍ଏକୁ ପଠାଇଥିଲା। ସୂତ୍ର ଅନୁସାରେ ପ୍ରସ୍ତାବରେ କୁହାଯାଇଛି ଯେ, ଯଦି ଅଗ୍ନିବୀରଙ୍କ ବୀରଗତି ହେଉଛି, ଏହି କ୍ଷେତ୍ରରେ ତାଙ୍କର ପରିବାରକୁ ଭରଣପୋଷଣ ପାଇଁ ଭତ୍ତା ଦିଆଯିବା ଉଚିତ।
ଜଣେ ଅଧିକାରୀ ନିଜ ନାମ ଗୋପନ କରି ଗଣମାଧ୍ୟମକୁ କହିଛନ୍ତି, ପ୍ରସ୍ତାବରେ ଯଦି ଦେଶର ରକ୍ଷା ପାଇଁ କାମ କରିବା ସମୟରେ ଅଗ୍ନିବୀର ଦିବ୍ୟାଙ୍କ ହୋଇଯାଆନ୍ତି, ତାଙ୍କୁ ଆର୍ଥିକ ସହଯୋଗ ଦିଆଯିବା ଉଚିତ। ଏବେ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ପାଇଁ ଏହି ଭଳି କୌଣସି ବ୍ୟବସ୍ଥା ନାହିଁ। ସେନାର ପ୍ରସ୍ତାବ ଯେ, ପ୍ରତ୍ୟେକ ବ୍ୟାଚରୁ ଅତିକମରେ ୫୦ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ କରାଯିବା ଉଚିତ। ଏଥି ସହିତ ଟେକ୍ନିକାଲ ଆର୍ମରେ ଅଗ୍ନିବୀରଙ୍କ ଅଧିକ ବୟସ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି।
ସୂଚନାଯୋଗ୍ୟ, ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ୨୦୨୨ ଜୁନ୍ ୨୨ରେ ଲାଗୁ କରାଯାଇଥିଲା। ଏଥି ସହିତ ପୁରୁଣା ନିଯୁକ୍ତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା। ସେନାରେ ଯେତେସବୁ ଭର୍ତ୍ତି ହେଉଛି, ଏହା ଅଗ୍ନିପଥ ଯୋଜନାରେ ହିଁ ହେଉଛି।