ଏପ୍ରିଲ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଆର୍ଥିକ କ୍ଷେତ୍ର ସହ ଜଡ଼ିତ ଅନେକ ପରିବର୍ତ୍ତନ ଲୋକଙ୍କ ଉପରେ ପ୍ରଭାବ ପକାଇବ । ଆୟକର, ଫାସ୍ଟ୍ୟାଗ୍ ଲାଗି ନୂଆ ନିୟମ ଲାଗୁ ହେବ । ପହିଲାରୁ ନୂଆ ଟିକସ ବ୍ୟବସ୍ଥାକୁ ଆୟକର ପ୍ରଦାନ କ୍ଷେତ୍ରରେ ଡିଫଲ୍ଟ ସେଟିଂ ବା ପୂର୍ବରୁ ଧାର୍ୟ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ । ଅର୍ଥାତ ଯଦି ଜଣେ ଟିକସ ପ୍ରଦାନକାରୀ ପୁରୁଣା ଟିକସ ଢାଞ୍ଚାକୁ ନିଜଆଡ଼ୁ ଚୟନ ନକରିବେ ତାହେଲେ ସେ ନୂଆ ଟିକସ ଢାଞ୍ଚାରେ ହିଁ ଟିକସ ପ୍ରଦାନ କରିବେ ।
ନୂଆ ଟିକସ ଢାଞ୍ଚାରେ ଜଣକୁ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ନୂଆ ଆୟକର ସ୍ଲାବ୍ ଅନୁସାରେ ୩ ଲକ୍ଷ ୧ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ୫%, ୬ ଲକ୍ଷ ୧ ଟଙ୍କାରୁ ୯ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ୧୦%, ୯ ଲକ୍ଷ ୧ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ୧୫%, ୧୨ ଲକ୍ଷ ୧ ଟଙ୍କାରୁ ୧୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ୨୦% ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଦେବାକୁ ହେବ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ନିୟମ ବଦଳିବ । ପହିଲାରୁ ଚାକିରି ବଦଳାଇଲେ ଇପିଏଫ୍ ଖାତା ଓ ସେଥିରେ ଥିବା ବଳକା ଅର୍ଥ ଆପେ ସ୍ଥାନାନ୍ତର ହୋଇଯିବ । ପୂର୍ବରୁ ଏହି କାମ ମାନୁଆଲ୍ ଭାବେ ହେଉଥିଲା ଯାହା ଆସନ୍ତାକାଲିଠାରୁ ସ୍ୱୟଂକ୍ରିୟ ହେବ ।
ସେହିପରି, ଫ୍ୟାସଟ୍ୟାଗ୍ ସହ ଜଡ଼ିତ ନିୟମ ବି ବଦଳିବ । ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଫାସଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ କେୱାଇସ ଅପଡେଟ୍ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ଧାର୍ୟ୍ୟ କରିଥିଲା । ଯଦି ଗାଡ଼ିମାଲିକମାନେ ଫାସଟ୍ୟାଗ୍ କେୱାଇସି ଅପଡେଟ୍ କରି ନଥିବେ ତାହେଲେ ଫାସଟ୍ୟାଗ୍ ବନ୍ଦ ହୋଇଯାଇପାରେ । ଏନଏଚଏଆଇ ପୂର୍ବରୁ ଘୋଷଣା କରି କହିଥିଲା ୱାନ୍ ଭେଇକିଲ୍, ୱାନ୍ ଫାସଟ୍ୟାଗ୍ ଅଭିଯାନ ଅଧୀନରେ ବିନା କେୱାଇସିରେ ଫାସଟ୍ୟାଗ୍ର କଳା ତାଲିକାଭୁକ୍ତ କିମ୍ବା ନିଷ୍କ୍ରିୟ କରାଯିବ ।
ଅଧିକ ପଢ଼ନ୍ତୁ : ଆଜିଠୁ ଲାଗୁ ହେବ ନୂଆ ଆୟକର ନିୟମ