ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ସମଗ୍ର ବିଶ୍ୱ ବଜାରର ଚିନ୍ତାକୁ ବଢାଇ ଦେଇଛି । ଏହି ସଦ୍ୟତମ ଆକ୍ରମଣରେ ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ବଢିବାର ସମ୍ଭାବନା ଅଧିକ ରହିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଅଶୋଧିତ ତୈଳ ଦର ପୁଣି ଥରେ ବ୍ୟାରେଲ ପିଛା ୭୫ ଡଲାର ପହଞ୍ଚି ଯାଇଛି । ଯଦି ଏମିତି ହୁଏ ତେବେ ପାର୍ବଣ ସମୟରେ ଭାରତୀୟଙ୍କୁ ବଡ ଝଟକା ଲାଗିପାରେ ।
ମଙ୍ଗଳବାର ଇସ୍ରାଏଲ ଉପରେ ଇରାନ ୧୮୦ରୁ ଅଧିକ ମିସାଇଲ ଆକ୍ରମଣ କରିଛି । ଇସ୍ରାଏଲ ବି ଏହାର ମୁହଁତୋଡ ଜବାବ ଦେବ ବୋଲି ପଣ କରିଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ପ୍ରଭାବ ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ଦେଖିବାକୁ ମିଳିଛି ଏବଂ ଏଥିରେ ୫ ପ୍ରତିଶତ ବୃଦ୍ଧି ଘଟିଛି ।
୍ଣବ୍ରଣ୍ଟ କ୍ରୁଡ ଓଏଲ ପୁଣି ଥରେ ବ୍ୟାରେଲ୍ ପିଛା ୭୫ ଡଲାରରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଲଢେଇ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦାମ ଆକାଶଛୁଆଁ ରହିଥିଲା । ଅଶୋଧିତ ତୈଳ ବଢିଲେ ପେଟ୍ରୋଲ ଓ ଡିଜେଲ ଦର ବଢିବ । ଆଉ ଏଥିରେ ଭାରତ ଅଧିକ ପଭାବିତ ହେବ । କାରଣ ଦେଶ ୮୦ ପ୍ରତିଶତ ତୈଳ ଚାହିଦା ପୂରଣ ପାଇଁ ବିଦେଶରୁ ଆମଦାନୀ କରୁଛି ।
ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପୂର୍ବରୁ ତେଲ ଦର କମ ହେବ ବୋଲି ଆଶା କରାଯାଉଥିଲା । କାରଣ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଘଟିଥିଲା । ତେଣୁ ପେଟ୍ରୋଲ-ଡିଜେଲ୍ ଦର କମିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏଥିରେ ଏବେ ବ୍ରେକ ଲାଗିଛି । ଯଦି ଇସ୍ରାଏଲ ଓ ଇରାନ ମଧ୍ୟରେ ଲଢେଇ ହୁଏ ତେବେ ସ୍ଥିତି ଆହୁରି ଭୟାବହ ହୋଇପାରେ । ତେଲ ଦର ବଢିଲେ ପରିବହନ ଖର୍ଚ୍ଚ ବଢିବ । ଆଉ ଏହାର ସିଧାସଳଖ ପ୍ରଭାବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡିବ ।