କଚାତିବୁକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ଜୟଶଙ୍କର କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହୁରୁଙ୍କ ପାଇଁ ଯେପରି ମୁଣ୍ଡବ୍ୟଥା ଥିଲା କଚାତିବୁ । ବାରମ୍ବାର ଏ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠୁଥିଲା ହେଲେ କାହିଁକି ଏହି ଛୋଟିଆ ଦ୍ୱୀପକୁ ନେଇ ଏତେ ବିବାଦ ବୋଲି ପ୍ରଶ୍ନ କରିଥିଲେ ନେହୁରୁ। ଏହାକୁ ହସ୍ତାନ୍ତର କରିଦେବା ଉଚିତ୍ ବୋଲି ମତ ରଖିଥିବା ଜୟଶଙ୍କର କହିଛନ୍ତି।
କେବଳ ଏତିକି ନୁହେଁ ଏପରି ହିଁ ଚିନ୍ତାଧାରା ନେହୁରୁଙ୍କଠାରୁ ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ କରିବା ଯାଏଁ କଚାତିବୁ ଦ୍ବୀପକୁ ନେଇ କଂଗ୍ରେସ ସରକାର ରଖିଥିବା ସେ କହିଛନ୍ତି ।
ଗଣମାଧ୍ୟମ ସାମ୍ନାରେ ସୂଚନା ଦେଇଛନ୍ତି ଯେ ଗଲା ୨୦ ବର୍ଷ ଭିତରେ ୬ ହଜାରରୁ ଅଧିକ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି । ଯାହା ଭାରତୀୟ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛି । ସେପଟେ ଆଉ କିଛି ଦିନ ପରେ ତାମିଲନାଡ଼ୁ ନିର୍ବାଚନ ଥିବା ବେଳେ ଏହି ପ୍ରସଙ୍ଗ ଉଠିଥିବାରୁ ଜାତୀୟ ରାଜନୀତି ସରଗରମ ହୋଇଛି । ଅନ୍ୟପଟେ ଜୟଶଙ୍କରଙ୍କ ବୟାନ ପରେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଡିଏମକେ ଓ କଂଗ୍ରେସ ।
ଭାରତୀୟ ମୁଖ୍ୟ ଭୂଖଣ୍ଡଠାରୁ ମାତ୍ର ୨୦ କିଲୋମିଟର ଦୂରରେ କଚାତିବୁ ଦ୍ୱୀପ ରହିଛି । ଏଠି ବହୁ ସଂଖ୍ୟାରେ ତାମିଲ ଲୋକେ ବସବାସ କରନ୍ତି । ଆଜି ବି ମାଛ ଧରିବାକୁ ଏହାର ଆଖପାଖକୁ ଲୋକେ ଯାଆନ୍ତି । ହେଲେ ସବୁଠୁ ବଡ଼ ସମସ୍ୟା ହେଉଛି, ସମୁଦ୍ର ମଝିରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିବାରୁ ବହୁ ସମୟରେ ମତ୍ସଜୀବୀ ମାନେ କଚାତିବୁକୁ ଚାଲି ଯାଆନ୍ତି । ଗଲା ୫ ବର୍ଷରେ ୬୦୦ରୁ ଅଧିକ ମତ୍ସଜୀବୀ ଅନୁପ୍ରବେଶ କରିଥିବା ଅଭିଯୋଗରେ ଶ୍ରୀଲଙ୍କା ସରକାର ଦ୍ବାରା ଗିରଫ ହୋଇଛନ୍ତି ।