ଭାରତୀୟ ସମ୍ବିଧାନରେ ଉତ୍ତରାଖଣ୍ଡ ନୂଆ ଅଧ୍ୟାୟ ଯୋଡି ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ (UCC) ବା ଏକକ ନାଗରିକ ସଂହିତା ନିୟମ ଲାଗୁ କରିଛି। ରାଜ୍ୟ କ୍ୟାବିନେଟରେ ୟୁସିସିକୁ ଅନୁମୋଦନ ମିଳିବା ପରେ ଗତ ୭ ତାରିଖରେ ବିଧାନସଭାରେ ଏହି ବିଲ୍ ଆଗତ ହୋଇଛି। ତେବେ ସ୍ୱାଧୀନତା ପରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ ଗ୍ରହଣ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇଛି ଉତ୍ତରାଖଣ୍ଡ। ଗୋଆରେ ଏହି ନିୟମ ପର୍ତ୍ତୁଗୀଜ୍ ଶାସନ କାଳରୁ ଚାଲିଆସୁଥିବା ବେଳେ ରାଜସ୍ଥାନ ବି ୟୁସିସି ପାଇଁ ପ୍ରସ୍ତୁତି ଚାଲିଛି।
ତେବେ UCC ବା ଏକକ ନାଗରିକ ସଂହିତା ଆଇନ ଲାଗୁ ହେଲେ ବିବାହ, ଛାଡ଼ପତ୍ର, ସମ୍ପତ୍ତି ଓ ପୋଷ୍ୟ ସନ୍ତାନ କ୍ଷେତ୍ରରେ ସମସ୍ତଙ୍କର ଗୋଟିଏ ଅଧିକାର ରହିବ। ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ଅଧିକାର ମଧ୍ୟ ସମାନ ରହିବ। ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ଲାଗି ଗୋଟିଏ ଆଇନ ରହିବ । ବିନା ଛାଡ଼ପତ୍ରରେ ଏକାଧିକ ବିବାହ ପାଇଁ ଅନୁମତି ନ ମିଳିବା ବେଳେ ଯଦି କେହି ଏପରି କଲେ ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ ଯେ, ସୋମବାରଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଚାରି ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଏହି ଏକକ ନାଗରିକ ସଂହିତା(UCC) ବିଲ୍ ଆଗତ ହୋଇଛି। UCC ସମ୍ପର୍କିତ ବିଲ୍ ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନରେ ଆଗତ ହୋଇଥିବା ବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ଏହାକୁ ଉପସ୍ଥାପନ ହୋଇଥିଲା।
ଏହା ପୂର୍ବରୁ ସର୍ବୋଚ୍ଚ କୋର୍ଟଙ୍କ ଅବସରପ୍ରାପ୍ତ ଆଇନଜୀବୀ ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ଗଠିତ କମିଟି UCC କାର୍ଯ୍ୟକାରିତା ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ରବିବାର ଧାମି କ୍ୟାବିନେଟରେ ଏହି ଡ୍ରାଫ୍ଟକୁ ଅନୁମୋଦନ ମିଳିଥିଲା । ସୋମବାର ଦିନ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ, ''ୟୁନିଫର୍ମ ସିଭିଲ କୋଡ ଲାଗୁ ପାଇଁ ବିଚାର ବିମର୍ଶ ଚାଲିଛି । ଭାରତ ଲ କମିଶନଙ୍କ ଦ୍ବାରା ଏହାର ସମୀକ୍ଷା କରାଯାଉଛି । ଏହା କେବଳ କେନ୍ଦ୍ରର ପ୍ରସଙ୍ଗ ନୁହେଁ । ସମ୍ବିଧାନ ପ୍ରସ୍ତୁତ ହେବା ସମୟରେ ମଧ୍ୟ ଏହା ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଲ କମିଶନଙ୍କ ସହ ଏହି ବିଷୟରେ ବିଚାରାଧୀନ ଚାଲିଛି । ଉତ୍ତରାଖଣ୍ଡ ସରକାର ଏହାକୁ କ୍ୟାବିନେଟରେ ଅନୁମୋଦନ କରିଛନ୍ତି ଏବଂ ଲ କମିଶନଙ୍କ ରିପୋର୍ଟ ପାଇବା ମାତ୍ରେ ଆମେ ଆପଣଙ୍କୁ ଜଣାଇବୁ।'' ଗତ ଶୁକ୍ରବାର ଜଷ୍ଟିସ ରଞ୍ଜନା ଦେଶାଇଙ୍କ ନେତୃତ୍ବାଧୀନରେ ୫ ଜଣିଆ ୟୁସିସି ଡ୍ରାଫ୍ଟିଂ କମିଟି ୟୁସିସି ସମ୍ପର୍କିତ ଏକ ଡ୍ରାଫ୍ଟ ବା ଚିଠାପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିବା ପାଇଁ ଗଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ କମିଟିରେ ଜଷ୍ଟିସ ରଞ୍ଜନା ଦେଶାଇଙ୍କ ସମେତ ସାମଜିକ କର୍ମୀ ମନୁ ଗୌର, ଅବସରପ୍ରାପ୍ତ ଜଷ୍ଟିସ ପ୍ରମୋଦ କୋହଲି, ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ, ଡୁନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁରେଖା ଧନଓ୍ବାଲ ସଦସ୍ୟ ଥିଲେ । ଦୀର୍ଘମାସ ଧରି ରାଜ୍ୟରେ UCC କାର୍ଯ୍ୟକାରିତାର ସମସ୍ତ ଦିଗକୁ ନେଇ ଏହି କମିଟି ଅନୁଧ୍ୟାନ କରିଥିଲା । ଏହା ପରେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା । ଯାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ପ୍ରକ୍ରିୟାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରି ଦୁଇ ଦିନର ଲମ୍ବା ଚର୍ଚ୍ଚା, ତର୍କ ଓ ବିତର୍କ ପରେ ବୁଧବାର ସନ୍ଧ୍ୟାରେ ଗୃହରେ ବହୁମତରେ ଏହି ବିଲ୍ ପାରିତ ହୋଇଛି। ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ଏହି ବିଧେୟକ ସମାଜରେ ଭେଦଭାବ ଏବଂ କୁପ୍ରଥା ସମାପ୍ତ କରିବ।
ଏହି ବିଲ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ୨୦୨୨ ମସିହା ଫେବୃଆରୀ ୧୨ରେ ବିଧାନସଭା ନିର୍ବାଚନ ସମୟରେ ସେ ଯଦି ପୁନର୍ବାର କ୍ଷମତାକୁ ଆସନ୍ତି, ତେବେ ଏକକ ନାଗରିକ ସଂହିତା ଆଇନ ଆଣିବାକୁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ଆଜି ପ୍ରାୟ ଦୁଇ ବର୍ଷ ପରେ ଫେବୃଆରୀ ୭ରେ ଏହି ସଂକଳ୍ପ ପୂରଣ ହୋଇଛି। ଯେଉଁ ଉଦ୍ଦେଶ୍ୟରେ ଜନସାଧାରଣ ତାଙ୍କୁ ମନୋନୀତ କରିଥିଲେ, ସେହି ସମାନତାର ଅଧିକାର ସମସ୍ତଙ୍କୁ ମିଳିବାକୁ ଯାଉଛି।
ଅଧିକ ପଢନ୍ତୁ: ଫେବୃୟାରୀ ୧୭ରେ ହାଜର ହେବାକୁ କେଜିରୱାଲଙ୍କୁ ସମନ