ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ସ୍ଥାନୀୟ ପୌର ପରିଷଦ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀଙ୍କ ପୀଠ ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତି ଦେଇ ନିର୍ବାଚନ ପାଇଁ ସମୟ ସୀମାକୁ ଏକ ମାସ ବୃଦ୍ଧି କରିଛନ୍ତି । ଏବେ ଏହି ନିର୍ବାଚନ ଆସନ୍ତା ମେ ୩୧ ତାରିଖ ଅନୁଷ୍ଠିତ ହେବ । ଏହା ସହିତ ହାଇକୋର୍ଟଙ୍କ ହସ୍ତକ୍ଷେପ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ବାରମ୍ବାର ହସ୍ତକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୌଖିକ ଟିପ୍ପଣୀ କରି ସିଜେଆଇ କହିଛନ୍ତି, ଏମିତି ପ୍ରତୀତ ହେଉଛି ଯେ, ହାଇକୋର୍ଟ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦେଉ ନାହାନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଛନ୍ତି ଯେ, ଭବିଷ୍ୟତରେ ଏହି ପରି ହସ୍ତକ୍ଷେପକୁ ଗମ୍ଭୀରତାର ସହ ନିଆଯିବ ।
କଣ କହିଲେ ସୁପ୍ରିମକୋର୍ଟ ?
ସୁପ୍ରିମକୋର୍ଟ ହାଇକୋର୍ଟଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ଜାହିର କରିଛନ୍ତି । ମାତ୍ର ହାଇକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଏଥିରେ ସୀମାଙ୍କନ ପକ୍ରିୟାର ଯୁକ୍ତି ଦେଇ ନିର୍ବାଚନକୁ ଘୁଞ୍ଚାଇବା ହିମାଚଳ ପ୍ରଦେଶ ସରକାରଙ୍କ ଅନୁରୋଧକୁ ଖାରଜ କରିଥିଲେ ହାଇକୋର୍ଟ । ଏହାକୁ ସଠିକ୍ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ପୀଠ ସ୍ପଷ୍ଟ କରିଛନ୍ତି ଯେ, ସୀମା ନିର୍ଦ୍ଧାରଣ ବିଳମ୍ବ ହେବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯିବା ଉଚିତ୍ ନୁହେଁ । ସାମ୍ବିଧାନିକ ଭାବେ ମ୍ୟୁନିସିପାଲଟି ନିର୍ବାଚନ, ନଗର ପାଳିକା ଓ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ କରାଯିବା ଉଚିତ୍ ।
Also read: ଚୀନକୁ ସିଧା ସନ୍ଦେଶ, ସୀମା ନିକଟରେ ଅବତରଣ କଲା ପିଏମଙ୍କ ବିମାନ; ଏମରଜେନ୍ସି ଲ୍ୟାଣ୍ଡିଂ ସୁବିଧା ଉଦଘାଟନ