ନୂଆଦିଲ୍ଲୀ: ବିଗତ କିଛି ଦିନ ହେଲା ଗରମ ପରେ ବୁଧବାର ସନ୍ଧ୍ୟାରେ ଅଚାନକ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜଧାନୀର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବର୍ଷା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଆଜି ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ବନ୍ଦ ରଖାଯାଇଛି।
ପୁଲିସ କହିବା ଅନୁସାରେ ୨୨ ବର୍ଷୀୟ ତନୁଜା ଓ ତାଙ୍କର ୩ ବର୍ଷୀୟ ପୁଅ ପ୍ରିୟାଶ ଗାଜିପୁର କ୍ଷେତ୍ରର ଖୋଡା କଲୋନି ନିକଟ ସାପ୍ତାହିକ ବଜାରକୁ ଯାଇଥିଲେ। ଏହି ସମୟରେ ସେମାନେ ତାଙ୍କର ପାଦ ଖସିଯାଇଥିଲା। ସେମାନେ ନାଳରେ ବହିଯାଇଥିଲେ। ଉଭୟଙ୍କୁ ପୁଲିସ ଓ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ପରେ ଲାଲବାହାଦୂର ଶାସ୍ତ୍ରୀ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠି ଡାକ୍ତର ମୃତ ଘୋଷଣା କରିଥିଲେ।
ଅନ୍ୟପଟରେ ଉତ୍ତର ଦିଲ୍ଲୀର ପରିବା ମଣ୍ଡିରେ ଘର ଭୁଶୁଡ଼ି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସଂପୃକ୍ତ ବ୍ୟକ୍ତି ରବିନ ସିନେମା ନିକଟର ପରିବା ମଣ୍ଡି ଅଞ୍ଚଳରେ ଏକ ଘର ଭୁଶୁଡ଼ିବା ନେଇ ରାତି ୮ଟା ୫୭ ମିନିଟରେ ଫୋନ୍ ଆସିଥିଲା। ଘଟଣାରସ୍ଥଳକୁ ୫ ଜଣ ଆଗ୍ନିକ ଯାଇଥିଲେ। ଆବର୍ଜନା ଭିତରୁ ଜଣକୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେହିପରି ଦକ୍ଷିଣ ପଶ୍ଚିମ ଦିଲ୍ଲୀର ବସନ୍ତକୁଂଜ ଅଞ୍ଚଳରେ ଏକ କାନ୍ଥ ଭୁଶୁଡ଼ିବାରୁ ଜଣେ ମହିଳା ଆହତ ହୋଇଛନ୍ତି।