କାର୍ ଚଲାଉଥିବା ବେଳେ ହୃଦ୍ଘାତରେ ଚାଲିଗଲା ଜୀବନ । ମୃତ୍ୟୁ କେତେବେଳେ ଆଉ କେଉଁଠି ଆସିବା ତାହା କାହାକୁ ଜଣାନଥାଏ । ଗାଡି ଚଲାଉଥିଲାବେଳେ ଆସିଲା ହୃଦଘାତ ଆଉ ସେହିକ୍ଷଣି ମଧ୍ୟରେ ତାଙ୍କ ମୃତ୍ୟୁ ହୋଇଯାଇଛି । ଷ୍ଟିୟରିଂ ଧରିଥିବା ଅବସ୍ଥାରେ ଫାର୍ମାସିଷ୍ଟଙ୍କ ପ୍ରାଣ ଛାଡିଗଲା । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ।
ସୂଚନା ଅନୁଯାୟୀ,ମୃତ ବ୍ୟକ୍ତି ଜଣକ ପ୍ରତିଦିନ ଭଳି ନିଜ କାର ଧରି ସ୍ୱାସ୍ଥ୍ୟକେନ୍ଦ୍ରକୁ ବାହାରିଥିଲେ । ନିଆଯ କର୍ମକ୍ଷେତ୍ରକୁ ଯାଇ ରୋଗୀଙ୍କ ସେବା କରିଥାନ୍ତେ । ଘରୁ ଅଳ୍ପବାଟ ଯିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏଭଳି ହେବାରୁ ସେ କାରକୁ ରାସ୍ତା କଡରେ ଛିଡା କରିଥିଲେ । ଏହାର କିଛି କ୍ଷଣ ମଧ୍ୟରେ ଡ୍ରାଇଭିଂ ସିଟ୍ରେ ବସିଥିବା ସମୟରେ ତାଙ୍କ ଜୀବନ ଚାଲିଯାଇଥିଲା ।
ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ମୃତ ବ୍ୟକ୍ତି ଜଣକ ଆମ୍ବେଦକର ନଗରର ବାସିନ୍ଦା । ସେ ପ୍ରୟାଗରାଜର ଏକ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ଥିଲେ । ଏଭଳି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।