ବର୍ଷ ଆରମ୍ଭରୁ ଖୁସି ଖବର: ୨୦୨୨ରେ ଶେଷ ହେବ ମହାମାରୀ, ଟିକା ସାଜିବ ପ୍ରମୁଖ ଅସ୍ତ୍ର ନୂଆଦିଲ୍ଲୀ, ଜାନୁଆରୀ ୦୧(ଖବର ଓଡିଶା): Share story: ଦୀର୍ଘ ଦୁଇ ବର୍ଷ ହେଲା ସାରା ବିଶ୍ୱରେ କରୋନାର ମହାମାରୀ କଳାବାଦଲ ଭିତରେ ରହିଛି । ଏହାରି ଭିତରେ ୨୦୨୨ ଆରମ୍ଭ ହୋଇସାରିଛି । ଏବେ ସାରା ଦେଶରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଲହରର ସାମ୍ନା କରିସାରିଲେଣି । ସେହିପରି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏହାର ଅନ୍ତ କେବେ ହେବ ସେନେଇ ବଡ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ଆଶ୍ୱସ୍ତିକର ଖବର ଆଣିଛି । ୨୦୨୨ରେ କରୋନା ମହାମାରୀର ଅନ୍ତ ଘଟିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଶା ପ୍ରକାଶ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟେସସ୍ ନୂଆବର୍ଷ ପୂର୍ବରୁ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ବିରୋଧୀ ଲଢେଇର ଟିକା ହେଉଛି ପ୍ରମୁଖ ଅସ୍ତ୍ର । ଟିକା ଉତ୍ପାଦନ ବିଶ୍ୱରେ ବୃଦ୍ଧି ପାଇଛି । ଆମେରିକା ଓୟୁରୋପର ଅନେକ ଦେଶରେ ଲୋକେ ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ ନେଲେଣି । ସେହିପରି ଇସ୍ରାଏଲରେ ଚତୁର୍ଥ ଡୋଜ୍ ଟିକା ପ୍ରଦାନ କରାଗଲାଣି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କୋଭିଡ ମହାମାରୀ ଟେକ୍ନିକାଲ ଟିମର ମୁଖ୍ୟ ଡକ୍ଟର ମାରିଆ ଭନ କରଖୋଭ୍ କହିଛନ୍ତି ଯେ ଓମିକ୍ରନ ଯେଭଳି ଭାବେ ସଂକ୍ରମିତ କରି ଚାଲିଛି ତାକୁ ନେଇ ଚିନ୍ତା ପ୍ରକଟ କରିବା ସ୍ୱାଭାବିକ କଥା । ମାତ୍ର ୨୦୨୨ ବର୍ଷ ନୂଆ ଆଶା ନେଇ ଆସୁଛି । ଖବର ଓଡ଼ିଶା, Reporter, 01/01/2022