ପ୍ରେମ ଧୋକା ଦିଏ ଜାଣିଥିଲୁ ଶୁଣି ବି ଥିଲୁ କିନ୍ତୁ ଏବେ ବନ୍ଧୁତା ଦେଉଛି ଧୋକା । ବନ୍ଧୁ ନାଁରେ ସାଜିଲେ କଳଙ୍କ । ପ୍ରଥମେ ବନ୍ଧୁ ହେବାର ହାତ ବଢ଼ାଇ, ପରେ ବନ୍ଧୁ ପାଇଁ କାଳ ସାଜିଲେ । ବନ୍ଧୁର ପ୍ରକୃତ ଅର୍ଥକୁ ବ୍ୟର୍ଥ କରିଛନ୍ତି ଜଣେ ପୁରୁଷ ବନ୍ଧୁ । ବିମାନରେ ଆରମ୍ଭ କରିଥିଲେ ନିଜ ବନ୍ଧୁତ୍ୱକୁ । ପରେ ହୋଟେଲ୍ରେ ଦୁଷ୍କର୍ମ କରି ବନ୍ଧୁତା ଉପରୁ ଭରଷା ଉଠାଇଦେଇଛନ୍ତି ପୁରୁଷ ବନ୍ଧୁ । ସୂଚନା ଅନୁସାରେ, ଜଣେ ବ୍ୟକ୍ତି ବିମାନରେ ଆସୁଥିବାବେଳେ ବନ୍ଧୁତା କରିଥିଲେ ତାଙ୍କର ଜଣେ ସହଯାତ୍ରୀ ମହିଳାଙ୍କ ସହିତ । ପରେ ଗୋଆର ଏକ ହୋଟେଲ୍କୁ ଡାକି ଦୁଷ୍କର୍ମ କରିଥିଲେ । ଏମିତି ଏକ ଘଟଣା ଅଗଷ୍ଟ ୨୩ ତାରିଖରେ ଘଟିଥିଲା । ଉକ୍ତ ବ୍ୟକ୍ତି ଜଣକ ଗୁଜରାଟର ବୋଲି ଜଣାପଡିଛି । ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିବା ପରେ ଗୋଆ ପୋଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।
ପୁରୁଷ ବନ୍ଧୁ ବନ୍ଧୁତାକୁ ଆଗକୁ ନେବା ପାଇଁ ମହିଳା ସହଯାତ୍ରୀଙ୍କ ଠାରୁ ତାଙ୍କ ଫୋନ ନମ୍ବର ଆଣି ତାଙ୍କ ସହିତ ପ୍ରତିଦିନ କଥାବାର୍ତ୍ତା ହେଉଥିଲେ । ଏହି ସମୟ ଭିତରେ ବି ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତା ଆହୁରି ନିବିଡ ହେଇଯାଇଥିଲା । କିଛି ଦିନ ପରେ ଉଭୟ ଅଲଗା ଅଲଗା ଭାବେ ଗୋଆ ବୁଲିବାକୁ ଆସିଥିଲେ । ସେଠାରେ ବ୍ୟକ୍ତି ଜଣକ ନିଜ ମହିଳା ବନ୍ଧୁଙ୍କୁ ନିଜେ ରହୁଥିବା ହୋଟେଲକୁ ଆସିବା ପାଇଁ କହିଥିଲେ । ମହିଳା ଜଣକ ପ୍ରଥମେ ହୋଟେଲ ଆସିବାକୁ ମନା କରିଦେଇଥିଲେ ବି ପରେ ବ୍ୟକ୍ତି ଜଣକ ରହୁଥିବା ହୋଟେଲରେ ମହିଳା ଜଣଙ୍କ ପହଞ୍ଚିଥିଲେ । ସେଠାରେ ଉକ୍ତ ବ୍ୟକ୍ତି ଜଣକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ନିଜେ ଥାନାରେ ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ, ଦୁଷ୍କର୍ମ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ବ୍ୟକ୍ତି ଜଣକ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି ।