ଇସଲାମାବାଦ, ଅଗଷ୍ଟ ୧୭ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ କେବଳ ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ପ୍ରଶଂସା କରାଯାଉଛି । ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲଗେଟ୍ସ ମଧ୍ୟ ମୋଦୀଙ୍କ ଭାଷଣକୁ ପ୍ରଶଂସା କରିଛନ୍ତି । ସେହିପରି ପାକିସ୍ତାନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ପ୍ରଶଂସା କରାଯାଉଛି ।
ପାକିସ୍ତାନର ପୂର୍ବତନ ଉଚ୍ଚାୟୁକ୍ତ ଅବଦୁଲ ବାସିର ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାଲକିଲ୍ଲାରେ ଦିଆଯାଉଥିବା ଭାଷଣକୁ ପ୍ରଶଂସା କରୁଥିବା ଦେଖାଯାଇଛି । ସେ ମୋଦୀଙ୍କ ଭାଷଣକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ଭାରତରେ ସ୍ୱାଧୀନତା ଦିବସ ବଡ଼ ଉତ୍ସାହର ସହିତ ପାଳନ କରାଯାଇଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ କୁହନ୍ତି ଏବଂ ରାଜନୈନିକ ରାଲିରେ ତାଙ୍କର ଭାଷଣ ସବୁବେଳେ ଜୀବନ୍ତ ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଜନତାଙ୍କୁ ଆକର୍ଷିତ କରିଥାଏ । ସେ ସବୁବେଳେ ନୂଆ କଥା କହିଥାନ୍ତି । ସେ ଆଗାମୀ ୨୫ ବର୍ଷରେ ଭାରତକୁ ବିକାଶ କରିବା, ଦେଶରୁ ଦୁର୍ନୀତି ହଟାଇବା ଏବଂ ମହିଳା ସଶକ୍ତିକରଣ କରିବା ନେଇ ଭାଷଣ ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଲ ଗେଟ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ପରେ ଟୁଇଟ କରିଛନ୍ତି, ‘ଆଜି ଭାରତ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଭାରତର ବିକାସକୁ ଆଗକୁ ବଢ଼ାଇ ହେଲ୍ଥକେୟାର ଓ ଡିଜିଟାଲ ଟ୍ରାନ୍ସଫରମେଶନକୁ ପ୍ରୋତ୍ସାହନ ଦେବା ପାଇଁ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ସେକ୍ଟରରେ ଭାରତର ପ୍ରଗତି ପ୍ରେରଣା ଦେବ ଏବଂ ଏହି ଯାତ୍ରାରେ ଆମେ ସାମିଲ ହୋଇ ସୌଭାଗ୍ୟଶାଳୀ ।’ ଗେଟ୍ସ ନିଜର ଟୁଇଟ୍ରେ ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟକୁ ଟ୍ୟାଗ କରିଛନ୍ତି ଏବଂ ଅମୃତ ମହୋତ୍ସବ ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଛନ୍ତି ।