ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଡିଏନଏ ଟେଷ୍ଟ ମେଳ ହୋଇଛି । ରବିବାର ସନ୍ଧ୍ୟାରେ ତାଙ୍କ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ରାଜକୋଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗୃହ ମନ୍ତ୍ରୀ ହରଶ ସଂଘଭି ଆଜି ଏହାର ସୂଚନା ଦେଇ କହିଛନ୍ତି ଯେ, ରବିବାର ପୂର୍ବାହ୍ନ ୧୧ଟା ୧୦ରେ ବିଜୟ ରୂପାନିଙ୍କ ଡିଏନଏ ଟେଷ୍ଟ ମ୍ୟାଚ ହୋଇଛି ।
ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବିମାନ ବିମାନ ବନ୍ଦରରୁ ଉଡାଣ ଭରିବାର ଏକ ମିନିଟ୍ ଭିତରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ କ୍ରୁ ସଦସ୍ୟ, ପାଇଲଟ୍ ସହିତ ମୋଟ୍ ୨୪୨ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଧ୍ୟ ଥିଲେ । ସେ ନିଜର ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ । ଏଥିରେ ୨୪୧ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଶବ ଚିହ୍ନଟ କରିବା ମୁସ୍କିଲ ଥିଲା । ତେଣୁ ଡିଏନଏ ଟେଷ୍ଟ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି ।
ଏହି ଦୁର୍ଘଟଣାର ତିନି ଦିନ ପରେ ଅଧିକାରୀ ଡିଏନଏ ଟେଷ୍ଟ ମାଧ୍ୟମରେ ଏ ପର୍ଯ୍ୟନ୍ତ ୩୨ ପୀଡିତ ଚିହ୍ନଟ କରାଯାଇଛି । ଏଥିରୁ ୧୪ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅତିରିକ୍ତ ସିଭିଲ ଅଧୀକ୍ଷକ ଡ. ରଜନୀଶ ପଟେଲ୍ କହିଛନ୍ତି ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ମୃତଦେହ ଗୁଜରାଟ ଓ ରାଜସ୍ଥାନର ଅଲଗା ଅଲଗା ସ୍ଥାନର ।
ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି । ୨୪୧ ବିମାନର ଯାତ୍ରୀ ଥିବା ବେଳେ ଅବଶିଷ୍ଟ ମୃତକ ମେଡିକାଲ କଲେଜ ହଷ୍ଟେଲର ଥିଲେ । କାରଣ ବିମାନ ଦୁର୍ଘଟଣା ସମୟରେ ହଷ୍ଟେଲରେ ପିଟି ହୋଇଥିଲା । ଏହି ସମୟରେ ଅନ୍ତେବାସୀ ମଧ୍ୟାହ୍ନ ଭୋଜନ କରୁଥିଲେ ।