ଅମରାବତୀ: ମହଶିବରାତ୍ରୀ ଅବସରରେ ମନ୍ଦିରକୁ ଯାଉଥିଲେ । ହେଲେ କିଏ ଜାଣିଥିଲା ବାଟରେ ବସିଥିଲା ଯମ । ଭଗବାନ ଶିବଙ୍କ ଦର୍ଶନ ପୂର୍ବରୁ ହାତୀ ଆକ୍ରମଣରେ ଚାଲିଗଲା ଜୀବନ । ଆନ୍ଧ୍ର ପ୍ରଦେଶର ଅନ୍ନାମୟା ଜିଲ୍ଲାରେ ଏକ ହାତୀ ପଲ ଆକ୍ରମଣ କରିବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ମଙ୍ଗଳବାର ସକାଳ ୫ଟା ୩୦ରେ ଘଟିଛି ।
ଓବୁଲଭାରିପଲ୍ଲେ ଥାନାର ଥାନା ଅଧିକାରୀ କହିଛନ୍ତି, କିଛି ଭକ୍ତ ମହାଶିବରାତ୍ରୀ ଉପଲକ୍ଷେ ଭଗବାନ ଶିବଙ୍କ ଦର୍ଶନ ପାଇଁ ଶେଷଚଲନ ଜଙ୍ଗଲ ଦେଇ ଯାଉଥିଲେ । ଏହି ସମୟରେ ସେମାନଙ୍କ ଉପରେ ହାତୀପଲଙ୍କ ନଜର ପଡିଥିଲା । ଏହା ପରେ ହାତୀପଲ ଆକ୍ରମଣାତ୍ମକ ହୋଇ ଉଠିଥିଲେ ଏବଂ ଆକ୍ରମଣ ପାଇଁ ଦୌଡିଥିଲେ ।
ପୋଲିସ ଅଧିକାରୀ କହିଛନ୍ତି, ଯେମିତି ହାତୀପଲ ଲୋକଙ୍କ ଆଡକୁ ବଢିଥିଲା, ସେମାନେ ଚିତ୍କାର କରିବାକୁ ଲାଗିଥିଲେ । ହାତୀକୁ ଡରାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ହାତୀପଲ ଭକ୍ତମାନଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ । ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଓ ବନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ ।
ପୋଲିସ କହିଛି, ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୫ ମୃତକ କୋଡୁରୁ ମଣ୍ଡଳର ଉରଲାଗଡାପଡ ଗାଁର ବାସିନ୍ଦା ।