ଜମ୍ମୁ-କାଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପଞ୍ଚମ ଦିନରେ ପହଞ୍ଚିଛି। ଏହି ଅପରେସନକୁ ୧୦୦ ଘଣ୍ଟା ବିତି ସାରିଥିଲେ ବି ଏବେ ମଧ୍ୟ ସୀମାରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହେଉଛନ୍ତି ସୁରକ୍ଷାକର୍ମୀ। ଅନନ୍ତନାଗରେ କୋକେରନାଗର ପାହାଡ଼ିଆ ଅଞ୍ଚଳରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଗଡ଼ୁଲ ଜଙ୍ଗଲର ପାହାଡ଼ ଉପରେ ଥିବା ଗୁମ୍ଫା ଭିତରେ ଲୁଚି ରହିଛନ୍ତି ଆତଙ୍କାବାଦୀ । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ଏକ ଡ୍ରୋନର ସାହାର୍ଯ୍ୟ ନିଆଯାଉଛି । ଏହି ଡ୍ରୋନର ସାହାର୍ଯ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ପ୍ରକୃତ ସ୍ଥାନକୁ ଟିକିନିଖି କରି ଯାଞ୍ଚ କରାଯାଉଛି । ଏହି ସର୍ଚ୍ଚ ଅପରେସନରେ ପ୍ରାୟ ଦୁଇ ହଜାରରୁ ଅଧିକ ଯବାନ ନିୟୋଜିତ ଅଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଲୁଚି ରହିଥିବା ଆତଙ୍କବାଦୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥିବା କୁହାଯାଉଛି । ଏପରିକି ଆତଙ୍କବାଦୀଙ୍କ ସଂଖ୍ୟା ୨ରୁ ଅଧିକ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଜଣେ ନିଖୋଜ ଯବାନଙ୍କ ମର ଶରୀର ଗତକାଲି ମିଳିଥିଲା । ସେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ଏହାକୁ ମିଶାଇ ଗତ ତିନିଦିନରେ ଜାମ୍ମୁ-କାଶ୍ମୀରରେ ମୋଟ ୫ଜଣ ଶହୀଦ ହୋଇଥିଲେ ।
ବର୍ତ୍ତମାନ ସୁଦ୍ଧା ୬ ଜଣ ସୁରକ୍ଷାକର୍ମୀଙ୍କ ସମେତ ସେନା କୁକୁର କେଣ୍ଟ ଦେଶ ପାଇଁ ବଳିଦାନ ଦେଇ ସାରିଲେଣି। ସୂଚନାନୁଯାୟୀ, ବୁଧବାରଠାରୁ ଆରମ୍ଭ ହୋଇଛି ଏହି ଏନକାଉଣ୍ଟର। ସୀମା ମଧ୍ୟକୁ ଆତଙ୍କୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏନେଇ ଖବର ପାଇ ପୁଲିସ ଓ ସେନା ମିଳିତ ଭାବେ ଅପରେସନ୍ ଆରମ୍ଭ କରିଥିଲେ। ଏଥିରେ ସେନା କୁକୁର କେଣ୍ଟ ମଧ୍ୟ ସାମିଲ ଥିଲା। ଆତଙ୍କୀଙ୍କ ସହ ଲଢିବା ସମୟରେ ସେନାର ଦୁଇଜଣ ଏବଂ ଜଣେ ପୁଲିସ କର୍ମଚାରୀଙ୍କ ସମେତ ତିନିଜଣ ଅଧିକାରୀ ସହିଦ ହୋଇଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ପାଲଟା ଯବାବ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ। ଆତଙ୍କୀ ଲୁଚିଥିବା ସ୍ଥାନକୁ ଟାର୍ଗେଟ କରି ବିରତ୍ୱ ପ୍ରଦର୍ଶନ କରୁଛନ୍ତି ଯବାନ। ଉନ୍ନତମାନର ଡ୍ରୋନ୍ ଏବଂ ବିସ୍ଫୋରକ ସହାୟତାରେ ଆତଙ୍କବାଦୀଙ୍କୁ ମୁହଁତୋଡ ଯବାବ ଦେଉଛନ୍ତି। ଏହାରି ମଧ୍ୟରେ ୫ରୁ ଅଧିକ ଆତଙ୍କୀ ନିପାତ ହୋଇସାରି ଥିବାବେଳେ ଗତକାଲି ଆଉ ତିନି ଜଣଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା। ଏଥିସହ ଦୁଇ ଜଣ ଆତଙ୍କୀଙ୍କୁ ଗିରଫ କରି ରଖିଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଉଛି।
ଅଧିକ ପଢ଼ନ୍ତୁ : ଜାମ୍ମୁକଶ୍ମୀରର ଅନନ୍ତନାଗରେ ୫ଦିନରେ ପହଞ୍ଚିଲା ସର୍ଚ୍ଚ ଅପରେସନ