ମୁମ୍ବାଇ: ମହାରାଷ୍ଟ୍ରର ହିଙ୍ଗୋଲୀରେ ଆଜି ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିଲା ବୋଲି ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଚି। ସକାଳ ୭ଟା ୧୪ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଭୂମିକମ୍ପ ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ।
ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି ଯେ, କିଛି ମାସ ପୂର୍ବରୁ ହିଙ୍ଗୋଲୀ ସହରରେ ୧୧ ମିନିଟ ବ୍ୟବଧାନରେ ୨ଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ପ୍ରଥମ ଝଟକା ପୂର୍ବାହ୍ଣ ପାଖାପାଖି ୬ଟା ୮ ମିନିଟରେ ହୋଇଥିଲା, ଯାହାର ତୀବ୍ରତା ୪.୫ ମପାଯାଇଥିଲା। ଦ୍ବତୀୟ ଝଟକା ୬ଟା ୧୯ ମିନିଟରେ ହୋଇଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ୧୦ କିମି ଗଭୀରରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ମପାଯାଇଥିଲା। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିଲା।
ଭୂମିକମ୍ପ କେମିତି ହୋଇଥାଏ? ଏହାକୁ ଜାଣିବା ପାଇଁ ବୈଜ୍ଞାନିକ ଶୈଳୀରେ ପୃଥିବୀର ସଂରଚନାକୁ ବୁଝିବାକୁ ପଡ଼ିବ। ପୃଥିବୀ ଟେକ୍ଟୋନିକ୍ ପ୍ଲେଟ ଉପରେ ରହିଛି। ଏହାର ତଳକୁ ତରଳ ପଦାର୍ଥ ଲାଭା ରହିଛି ଏବଂ ଏହାରି ଉପରେ ଟେକ୍ଟୋନିକ୍ ପ୍ଲେଟ ପହଁରୁଥାଏ। ବେଳେବେଳେ ଏହି ପ୍ଲେଟ ନିଜ ନିଜ ଭିତରେ ଘଷି ହୋଇଯାଇଥାଏ। ବାରମ୍ବାର ଏଭଳି ହେବା କାରଣରୁ ପ୍ଲେଟର ଗତି ପରିବର୍ତ୍ତନ ହୋଇଥାଏ। ଅଧିକ ଧକ୍କା ଲାଗିବା ଦ୍ବାରା କ୍ଷତି ହୋଇଥାଏ। ଯେତେବେଳେ ତଳ ଭାଗରୁ ଶକ୍ତି ବାହାରି ଆସିଥାଏ, ଏହା ପରେ ଭୂମିକମ୍ପ ଅନୁଭୂତ ହୋଇଥାଏ।