ନୂଆଦିଲ୍ଲୀ: ଦେଶରେ ଏବେ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ନାକେଦମ କରିଦେଲାଣି। ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେବାରେ ଲାଗିଛି। କ୍ଷୀର, ପେଟ୍ରୋଲ-ଡିଜେଲ ଏବଂ ସିଏନଜି (CNG) ପରେ ଏବେ ସାଧାରଣ ଗ୍ରାହକଙ୍କୁ ଖାଉଟି ବଜାରରେ ଝଟକା ଲାଗିଛି। ଦେଶରେ ଘରୋଇ ଏଲପିଜି (LPG) ସିଲିଣ୍ଡରର ଦାମ୍ ପୁଣି ବଢ଼ିଯାଇଛି। ସୂତ୍ର ଅନୁଯାୟୀ, ଗ୍ୟାସ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨୯ ଟଙ୍କା ବୃଦ୍ଧି କରିଛନ୍ତି। ଏହି ନୂଆ ଦର ବୃଦ୍ଧି ପରେ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୪୨ ଟଙ୍କାରେ ପହଞ୍ଚିଛି। ଏଥିସହ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ଦାମ ୯୬୩ ଟଙ୍କାକୁ ବୃଦ୍ଧି ଘଟିଛି । ଜୁନ ୬ ତାରିଖ ସୁଦ୍ଧା ଘରୋଇ ସିଲିଣ୍ଡର ମୂଲ୍ୟ ଭୁବନେଶ୍ୱରରେ ୯୩୯ ଟଙ୍କା ଥିଲା ।
ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ଦର ବୃଦ୍ଧି ପରେ ଘରୋଇ ଗ୍ୟାସ ସିଲିଣ୍ଡର ମଧ୍ୟ ମହଙ୍ଗା ହେବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। ବିଶ୍ୱସ୍ତରରେ ଇରାନ ଯୁଦ୍ଧ କାରଣରୁ ଯୋଗାଣରେ ସମସ୍ୟା ଦେଖାଦେଇଥିଲେ ସୁଦ୍ଧା ଏହା ପୂର୍ବରୁ ଘରୋଇ ଗ୍ୟାସ୍ ଦାମ୍ ବଢ଼ାଯାଇନଥିଲା। ତେବେ ପୂର୍ବରୁ ମେ' ୧ ତାରିଖରେ କମର୍ସିଆଲ୍ ସିଲିଣ୍ଡର ଦାମ୍ ୯୯୩ ଟଙ୍କା ଏବଂ ଜୁନ୍ ୧ରେ ପୁଣି ୪୨ ଟଙ୍କା ବୃଦ୍ଧି ପାଇଥିଲା।
ସଙ୍କଟ ସତ୍ତ୍ୱେ ଯୋଗାଣ ସ୍ୱାଭାବିକ: ମନ୍ତ୍ରଣାଳୟ
ଏହି ଆନ୍ତର୍ଜାତୀୟ ସଙ୍କଟ ସମୟରେ ଏଲପିଜି ସିଲିଣ୍ଡର ଯୋଗାଣକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସରକାରଙ୍କ କହିବା ଅନୁଯାୟୀ, ଦେଶରେ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ରହିଛି। କୌଣସି ବି ରିଟେଲ ଗ୍ୟାସ ଏଜେନ୍ସିରେ ଷ୍ଟକ୍ ଶେଷ ହେବାର ସ୍ଥିତି ଉପୁଜି ନାହିଁ। ସିଲିଣ୍ଡରର ବେଆଇନ ମହଜୁଦ ଏବଂ କଳାବଜାରୀକୁ ରୋକିବା ପାଇଁ ସାରା ଦେଶରେ ପ୍ରଶାସନ ପକ୍ଷରୁ କଡ଼ା ଚଢ଼ାଉ ଜାରି ରହିଛି।
ହୋର୍ମୁଜ୍ ଜଳପଥ ସଙ୍କଟ ସତ୍ତ୍ୱେ ଦେଶବାସୀଙ୍କୁ ଯେପରି ବିନା ବାଧାରେ ପେଟ୍ରୋଲିୟମ ସାମଗ୍ରୀ ଓ ଏଲପିଜି ମିଳିପାରିବ, ସେଥିପାଇଁ ସରକାର ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶର ସମସ୍ତ ତୈଳ ବିଶୋଧନାଗାର ଗୁଡ଼ିକ ଉଚ୍ଚ କ୍ଷମତାର ସହ କାମ କରୁଛନ୍ତି ଏବଂ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ଗଚ୍ଛିତ ଅଛି। ଏପରିକି ଘରୋଇ ସ୍ତରରେ ଏଲପିଜି ଉତ୍ପାଦନକୁ ମଧ୍ୟ ଅଧିକ ବେଗବାନ କରାଯାଇଛି ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି।