ସଂସଦର ଶୀତକାଳୀନ ଅଧିବେଶନରେ ୭୦ ଘଣ୍ଟିଆ କାର୍ଯ୍ୟ ସପ୍ତାହ ବିଷୟରେ ଆଲୋଚନା ହୋଇଥିଲା । ଇନଫୋସିସ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏହି ବିତର୍କକୁ ଆରମ୍ଭ କରିଥିଲେ ଉତ୍ତରରେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏ ବାବଦରେ କହିଛନ୍ତି ଯେ ସରକାର ବର୍ତ୍ତମାନ ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କି ଆଲୋଚନା କରୁନାହାନ୍ତି । ସଂସଦର ଶୀତକାଳୀନ ଅଧିବେଶନରେ କଂଗ୍ରେସର କୋମତି ଭେଙ୍କଟା ରେଡ୍ଡୀ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏମପି ଙ୍କ ସମେତ ଶ୍ରୀନିବାସ ରେଡ୍ଡୀ ଏବଂ ଓ୍ବାଇଏସଆର କଂଗ୍ରେସର କନ୍ନୁମୁରୁ ରଘୁ ରାମ କୃଷ୍ଣ ରାଜୁ , ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟକୁ ସରକାର ସପ୍ତାହକୁ ୭୦ ଘଣ୍ଟିଆ କାମ ପାଇଁ ନାରାୟଣ ମୁର୍ତ୍ତୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ କି ? ଏହା ଉପରେ ସରକାର ବିଚାର କରୁଛନ୍ତି କି ? ଏହି ଭଳି କିଛି ପ୍ରଶ୍ନ ଉଠାଇଥିଲେ । ଯାହାର ଜବାବ ରଖିଥିଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ।
ସୂଚନା ଅନୁସାରେ ୭୭ବର୍ଷୀୟ ନାରାୟଣ ମୁର୍ତ୍ତୀ ଭାରତର ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ସପ୍ତାହରେ ୭୦ଘଣ୍ଟା କାମ କରିବା ଉଚିତ ଯାହା ଦ୍ୱାରା ଭାରତର ସାମଗ୍ରିକ ଉତ୍ପାଦନ ବୃଦ୍ଧି ପାଇବ । ପୂର୍ବତନ ଇନଫୋସିସ ସିଇଓ ମୋହନଦାସ ପାଏଙ୍କ ସହ କଥାବାର୍ତ୍ତା ବେଳେ ସେ ଏହା ଏକ ପୋଡକାଷ୍ଟରେ କହିଥିଲେ ଯେ ଭାରତ ହେଉଛି ବିଶ୍ୱରେ ସର୍ବନିମ୍ନ ଉତ୍ପାଦନକ୍ଷମ ଦେଶ ଯିଏ କି ଚାଇନା ଭଳି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି । ମୁର୍ତ୍ତୀଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ଏବଂ ଜର୍ମାନୀ ଯେପରି ଭାବରେ ଅତିରିକ୍ତ ପରିଶ୍ରମ କରିଥିଲେ ଭାରତ ମଧ୍ୟ ସେପରି କରିବା ନିହାତି ଆବଶ୍ୟକ ।
ନାରାୟଣ ମୁର୍ତ୍ତୀଙ୍କ ଏହି ପରାମର୍ଶ ବିଷୟରେ ସାଧାରଣ ଲୋକ ଏବଂ ବୁଦ୍ଧିଜୀବୀମାନେ ଇଣ୍ଟରନେଟରେ ଦୁଇଟି ଦଳରେ ଭାଗ ହୋଇ ନିଜ ନିଜର ମତ ଦେଇଥିଲେ । କିଛି ଲୋକଙ୍କ ମତ ତାଙ୍କ ସହ ସହମତ ହୋଇଥିଲେ ଓ କିଛି ସହମତ ହୋଇ ନଥିଲେ । ଓଲା ର ପ୍ରତିଷ୍ଠାତା ଭବୀ ଅଗ୍ରୱାଲ ବି ମୁର୍ତ୍ତୀଙ୍କ ଏହି ବିବୃତ୍ତିରେ ସହମତ ହୋଇଥିଲେ । କିନ୍ତୁ କଂଗ୍ରେସ ଏମପି ଶଶି ଥରୁର ଏହାର ବିପରୀତ ବିବୃତ୍ତି ଦେଇଥିଲେ ।
ଏହି ପ୍ରସ୍ତାବକୁ ନେଇ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଏକ ଭିନ୍ନ ବିତର୍କ ଆରମ୍ଭ କରି କହିଥିଲେ ସପ୍ତାହରେ ମାତ୍ର ୩ ଦିନ କାମ କରିବା ଉଚିତ । ଏହି କଥାକୁ ଆଗକୁ ନେଇ ଥରୁର କହିଥିଲେ ଯଦି ନାରାୟଣ ମୁର୍ତ୍ତୀ ଏବଂ ବିଲ ଗେଟ୍ସଙ୍କ ଶବ୍ଦ ଗ୍ରହଣ କରି ଯଦି ଏକ ନୂତନ ସମୀକରଣ କରାଯାଏ ତେବେ ଗୋଟିଏ ସପ୍ତାହରେ କାର୍ଯ୍ୟ ଦିବସ ସଂଖ୍ୟା ବର୍ତ୍ତମାନ ୫ ଦିନ ହେବା ଉଚିତ ।