ନୂଆଦିଲ୍ଲୀ: ରାଜଧାନୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ଶୀତ ଋତୁର ଆଗମନ ସହ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି ପାଇଥାଏ । ଏଥିରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥାନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ସୋମବାର ଅର୍ଥାତ ଅକ୍ଟୋବର ୧୪ରୁ ଜାନୁଆରୀ ୧ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଫୁଟାଇବା, ବାଣ ଜମା ରଖିବା, ବିକ୍ରି ଏବଂ ଏହାର ବ୍ୟବହାର ଉପରେ କଟକଣା ଲାରୁ କରିଛନ୍ତି । ପଳରେ ଦୀପାବଳିରେ ପ୍ରତିବର୍ଷ ପରି ଏଥର ମଧ୍ୟ ବାଣ ଫୁଟି ପାରିବ ନାହିଁ ।
ଏହାକୁ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସମସ୍ତ ଦିଲ୍ଲୀବାସୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ପ୍ରଦୂଷଣର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦଶହରା ପରେ ଏନସିଆରରେ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି । ଫଳରେ ଦିଲ୍ଲୀର ଅଧିକାଂଶ ପ୍ରମୁଖ ସହରଗୁଡିକରେ ବାୟୁର ଗୁଣବତ୍ତା ସୂଚକାଙ୍କ ୨୦୦ ଟପି ଯାଇଛି ।
ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ(ସିଏକ୍ୟୁଏମ)ର ସବ କମିଟି ବୈଠକରେ ପ୍ରଦୂଷଣର ବର୍ତ୍ତମାନ ସ୍ଥିତି ଓ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଗ୍ରେପ) ଲାଗୁ କରାଯିବାର ବିକଳ୍ପ ଉପରେ ଆଲୋଚନା ହୋଇଛି । ଏଥିରେ ସ୍ଥିର କରାଯାଇଛି ଯେ, ଯଦି ପ୍ରଦୂଷଣର ସ୍ତରରେ ସୁଧାର ନ ଆସେ ତେବେ ଦିନେ କି ଦୁଇ ଦିନରେ ଗ୍ରେପର ପ୍ରଥମ ପର୍ଯ୍ୟାୟ କଟକଣା ଲାଗୁ କରାଯିବ ।
ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ରାଜଧାନୀବାସୀଙ୍କୁ କଡା ଚେତାବନୀ ଦେଇ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯେଉଁ ଲୋକ ଧୂଳି ପ୍ରଦୂଷଣ କରିବ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।