ନୂଆଦିଲ୍ଲୀ: ଦିଲ୍ଲୀର କାର ବୋମା ବିସ୍ଫୋରଣ ମାମଲାର ତଦନ୍ତ ଦୁବାଇ ପର୍ଯ୍ୟନ୍ତ ପହଞ୍ଚିଛି। ଗିରପ ବ୍ୟକ୍ତିଙ୍କ ଦୁବାଇରେ ରହୁଥିବା ସନ୍ଦିଗ୍ଧଙ୍କ ସହ ଲିଙ୍କ ଥିବା ଜଣା ପଡ଼ିଛି।ଏହି ଖୁଲାସା ଏପରି ସମୟରେ ହୋଇଛି ଯେତେବେଳେ କିଛି ସନ୍ଦିଗ୍ଧ ତୁର୍କୀ ଏବଂ ପାକିସ୍ତାନରେ ରହୁଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ (JeM) ସମର୍ଥନରେ ପୋଷ୍ଟର ଲଗାଇବା ଅପରାଧରେ ଶ୍ରୀନଗରରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଆଦିଲ ଅହମ୍ମଦ ରାଥରଙ୍କୁ ତଦନ୍ତକାରୀମାନେ ପଚରାଉଚରା କରିବା ପରେ ଏହି ନୂତନ ସୁରାକ ମିଳିଛି।
ଡାକ୍ତର ରାଥେର ଉତ୍ତର ପ୍ରଦେଶର ସହାରନପୁରର ବାସିନ୍ଦା। ପଚରାଉଚରା ସମୟରେ ସେ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛନ୍ତି ଯେ ତାଙ୍କ ଭାଇ ମୁଜାଫର ରାଥେର ଦୁଇ ମାସ ପୂର୍ବେ ଦୁବାଇ ଯିବା ପୂର୍ବରୁ ପାକିସ୍ତାନ ଯାଇଥିଲେ। ଏହି ତଥ୍ୟ ମିଳିବା ପରେ ତଦନ୍ତର ପରିଧି ଦୁବାଇ ପର୍ଯ୍ୟନ୍ତ ଲମ୍ବିପାରେ। ସୂତ୍ର ଅନୁଯାୟୀ, ମୁଜାଫର ରାଥେରର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ସିଧାସଳଖ ସମ୍ପର୍କ ଥିବା ସନ୍ଦେହ କରାଯାଉଛି।
ତଦନ୍ତକାରୀ ଅଧିକାରୀଙ୍କ ମତରେ ଦୁବାଇ ଯାତ୍ରାର ଉଦ୍ଦେଶ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ହୋଇପାରେ। ଦୁବାଇ ଯାତ୍ରା କରିବା ପୂର୍ବରୁ ମୁଜାଫର ରାଥେର ପାକିସ୍ତାନରେ କାହାକୁ ଭେଟିଥିଲେ ତାର ଖୋଳତାଡ଼ ଆରମ୍ଭ ହୋଇ ଯାଇଛି। ନଭେମ୍ବର ୬ ତାରିଖରେ ଉତ୍ତର ପ୍ରଦେଶରେ ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମ୍ମଦଙ୍କୁ ମଧ୍ୟ ପଚରାଯାଉଛି ଯେ ତାଙ୍କର ତୁର୍କୀ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ କୌଣସି ସମ୍ପର୍କ ଥିଲା କି ନାହିଁ। ସେ ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗରେ ଥିବା ସରକାରୀ ମେଡିକାଲ କଲେଜରେ ଜଣେ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ।
ଆତଙ୍କବାଦୀ ଗୋଷ୍ଠୀ ପାଇଁ କାମ କରୁଥିବା ଡାକ୍ତର ଏବଂ ଧର୍ମଗୁରୁଙ୍କ ଏକ ବଡ଼ନେଟୱର୍କ ଥିବା ତଦନ୍ତ କରୁଥିବା ଏଜେନ୍ସି ଜାଣିବାକୁ ମିଳିଛି। କଥିତ ଦୁବାଇ ଲିଙ୍କ୍ ସମ୍ପର୍କରେ ତଦନ୍ତ ଜାରି ରହିବ। ଏ ପର୍ଯ୍ୟନ୍ତ ଖୋଳତାଡ଼ରୁ ସ୍ପଷ୍ଟ ହୋଇଛି ଯେ, ସୋମବାର ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା i20 କାରକୁ ଡାକ୍ତର ଓମାର ମହମ୍ମଦ ଚଲାଇଥିଲେ।
Also read: ଦୋଷୀଙ୍କୁ ଛଡ଼ା ଯିବନି, ଏମିତି ସଜା ମିଳିବ... ଦିଲ୍ଲୀ ବ୍ଲାଷ୍ଟ ଉପରେ ଶାହଙ୍କ ବଡ଼ ବୟାନ