ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଥିଲେ ତାକୁ ପୂରା କରି ଦେଖାଇଛନ୍ତି ଭାରତର ସାହସୀ ସେନା । କାପୁରୁଷ ହମଲା କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ କଡା ପ୍ରହାର କରିଛନ୍ତି ଭାରତୀୟ ବାୟୁସେନା । ପାକିସ୍ତାନ ଓ ପିଓକେରେ ୯ ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରି ଧ୍ୱଂସ କରାଯାଇଛି । ବଡ କଥା ଏଥର ଭାରତ ନିଜ ସୀମାରେ ରହି ପାକିସ୍ତାନ ଭିତରେ ଆତଙ୍କୀ ଶିବିରକୁ ଧ୍ୱଂସ କରିଛି । ସୂତ୍ର ମୁତାବକ ରାଫେଲ ବିମାନ ଓ ସ୍କାଲପ ମିସାଇଲର ଘାତକ ଯୋଡି ଏହି କମାଲ କରି ଦେଖାଇଛନ୍ତି ।
ଅପରେସନ ସିନ୍ଦୂର ଆଧାରରେ ଭାରତ ବହାବଲପୁର, ମୁରିଦକେ, ଗୁଲପୁର, ଭୀମବର, ଚକ ଅମରୁ, ବାଗ, କୋଟଲି, ସିୟାଲକୋଟ ଓ ମୁଜଫରାବାଦରେ ସ୍ଥିତ ୯ଟି ଆତଙ୍କୀ ଶିବିରକୁ ଟାର୍ଗେଟ୍ କରିଛନ୍ତି । ର ଦ୍ୱାରା ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ୯ଟି ଲକ୍ଷ୍ୟକୁ ଚିହ୍ନଟ କରାଯାଇଥିଲା । ଏନଏସଏ ଅଜିତ ଡୋଭାଲ ଅପରେସନର ପ୍ରସ୍ତୁତି ପାଇଁ ସୁରକ୍ଷା ଓ ପ୍ରତିରକ୍ଷା ଏଜେନ୍ସି ସହ ୧୫ରୁ ଅଧିକ ବୈଠକ କରିଥିଲେ ।
ସ୍କାଲପ ଏକ ଡିପ ଷ୍ଟ୍ରାଇକ କ୍ରୁଜ ମିସାଇଲ, ଯାହା ଆକାଶରୁ ଭୂପୃଷ୍ଠକୁ ଘାତକ ହମଲା କରିବାରେ ସକ୍ଷମ । ଏହା ଶତ୍ରୁର ଇଲାକାକୁ ପଶି ଲକ୍ଷ୍ୟ ଭେଦ କରିବାରେ ଅଚୁକ ଅସ୍ତ୍ର । ଏହା ପ୍ରାୟ ୩୦୦ କିମି ଦୂର ପର୍ଯ୍ୟନ୍ତ ଗତି କରି ଶତ୍ରୁକୁ ଧ୍ୱଂସ କରିପାରେ । ସୂତ୍ର ୁମୁତାବକ ଅଲଗା ଅଲଗା ଏୟାର ଫିଲ୍ଡରୁ ସ୍କାଲପ ମିସାଇଲରେ ସଜ୍ଜିତ ବିମାନ ଉଡାଣ ଭରିଥିଲା ଏବଂ ଭାରତୀୟ ଏୟାରସ୍ପେସରେ ରହି ଆତଙ୍କୀ ଉପରେ ପ୍ରହାର କରିଥିଲା ।