ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଦାଦାସାହେବ ଫାଲକେ ପୁରସ୍କାର ଗ୍ରହଣ କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏହି ସୂଚନା ପ୍ରଦାନ କରିଛନ୍ତି। ମିଥୁନ ଚକ୍ରବର୍ତ୍ତୀ, ହିନ୍ଦୀ, ବେଙ୍ଗଲି, ଓଡ଼ିଆ, ଭୋଜପୁର ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ୩୦୦ରୁ ଅଧିକ ଚଳଚ୍ଚିତ୍ର ରହିଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଦାଦାସାହେବ ଫାଲକେ ଜୁରି ନିଷ୍ପତ୍ତି ନେଇଛନ୍ତି ଯେ, ଆସନ୍ତା ଅକ୍ଟୋବର ୮ ତାରିଖରେ ଆୟୋଜନ ହେବାକୁ ଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଜୁରି ତରଫରୁ କୁହାଯାଇଛି ଯେ, ଭାରତୀୟ ଚଳଚ୍ଚିତ୍ର ଜଗତକୁ ମିଥୁନ ଚକ୍ରବର୍ତ୍ତୀଙ୍କ ଅବଦାନ ସ୍ମରଣୀୟ ହୋଇ ରହିଛି।
ବଲିଉଡ ଚଳଚ୍ଚିତ୍ରର ଅନ୍ୟତମ ବାଦ୍ଶାହ ମିଥୁନ ଚକ୍ରବର୍ତ୍ତୀ ଉଭୟ ହିନ୍ଦୀ ଓ ବେଙ୍ଗଲୀ ଫିଲ୍ମରେ ଜଣେ ଷ୍ଟାର ଅଭିନେତା ଭାବେ ଜଣାଶୁଣା। ମିଥୁନ ଚକ୍ରବର୍ତ୍ତୀ ବଲିଉଡରେ ୧୯୭୬ ମସିହାରେ ପଦାର୍ପଣ କରିଥିଲେ। ମୃଣାଳ ସେନ୍ଙ୍କ ଚଳଚ୍ଚିତ୍ର ମୃଗୟା ମାଧ୍ୟମରେ ସେ ହିନ୍ଦୀ ଫିଲ୍ମରେ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିଲା। ସେହି ବର୍ଷ ସେ ଦୁଲାଲ ଗୁହାଙ୍କ ଦୋ ଅଞ୍ଜାନେରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଓ ରେଖା ଅଭିନୟ କରିଥିଲେ। ୧୯୭୮ ମସିହାରେ ମିଥୁନ ଚକ୍ରବର୍ତ୍ତୀ ତାଙ୍କର ପ୍ରଥମ ବେଙ୍ଗଲି ଚଳଚ୍ଚିତ୍ର ‘ନାଡି ଠେକେ’ରେ ଅଭିନୟ କରିଥିଲେ। ମିଥୁନ ଚକ୍ରବର୍ତ୍ତୀ ବଲିଉଡକୁ ଅନେକଗୁଡ଼ିଏ ସୁପରଡୁପର ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଡିସ୍କୋ ଡ୍ୟାନ୍ସ ଚଳଚ୍ଚିତ୍ରର ସଫଳତାର ସ୍ୱାଦ ଚାଖିଥିଲେ ଏବଂ ସେ ସିନେମାରେ ଏହି ନାମରେ ପରିଚିତ ହୋଇଥିଲେ । ତାଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି।
ମିଥୁନଙ୍କ ଫିଲ୍ମ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିପାରିନଥିଲା । କୁହାଯାଏ ଯେ କଠିନ ପରିଶ୍ରମ ସତ୍ତ୍ୱେ ସେ ତାଙ୍କ କ୍ୟାରିୟରର ଗତି ଦେଖି ଦୁଃଖିତ ହୋଇଥିଲେ ଏବଂ ନିର୍ଦ୍ଦେଶକ ବବର ସୁଭାଷ ତାଙ୍କୁ ଦେଖି ପଚାରିଥିଲେ - କ'ଣ ହେଲା? ଏହା ଉପରେ ଅଭିନେତା ତାଙ୍କୁ କହିଥିଲେ ଯେ ସେ ତାଙ୍କ କାମରେ ବହୁତ କଠିନ ପରିଶ୍ରମ କରୁଛନ୍ତି କିନ୍ତୁ ଯେଉଁ ପଦ ପାଇଁ ସେ ଏତେ କଠିନ ପରିଶ୍ରମ କରୁଛନ୍ତି ତାହା ତାଙ୍କୁ ମିଳୁନାହିଁ। ଏହାପରେ ବି ସୁଭାଷ ମିଥୁନଙ୍କୁ 'ଡିସ୍କୋ ଡ୍ୟାନ୍ସର'ର ଅଫର ଦେଇଥିଲେ ଏବଂ ସେଠାରୁ ତାଙ୍କ ଭାଗ୍ୟ ଏତେ ବଦଳିଯାଇଥିଲା ଯେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ୧୯୮୨ରେ ମୁକ୍ତିଲାଭ କରିଥିବା ତାଙ୍କର ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଶ୍ୱବ୍ୟାପୀ ୧୦୦ କୋଟି ଟଙ୍କା ଅତିକ୍ରମ କରିଥିଲା, ଯାହା ସେହି ସମୟର ଚଳଚ୍ଚିତ୍ର ପାଇଁ ଏକ ବଡ଼ କଥା ଥିଲା।
ମିଥୁନ ଚକ୍ରବର୍ତ୍ତୀ ୧୯୫୦ ମସିହା ଜୁନ ୧୬ ତାରିଖ ଦିନ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ମୁମ୍ବାଇରେ ଅବସ୍ଥାପିତ କରୁଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ହେଲେନା ଲୁକେଙ୍କୁ ବିବାହ କରିଥିଲେ। ହେଲେନାଙ୍କୁ ଛାଡ଼ପତ୍ର ଦେଲା ପରେ ୧୯୭୯ରେ ଯୋଗିତା ବାଲିଙ୍କୁ ଦ୍ବିତୀୟ ବିବାହ କରିଥିଲେ। ମିଥୁନ ଚକ୍ରବର୍ତ୍ତୀଙ୍କ ୪ ଜଣ ସନ୍ତାନ ଅଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ ହେଉଛନ୍ତି ଜଣେ ରାଜନେତା। ସେ ଏବେ ଭାରତୀୟ ଜନତା ପାର୍ଟି ସହିତ ସକ୍ରିୟ ଅଛନ୍ତି। ଛାତ୍ର ଜୀବନରେ ସେ ସିପିଆଇ ଓ ପରବର୍ତ୍ତୀ ସମୟରେ ତୃଣମୂଳ କଂଗ୍ରେସର କର୍ମୀ ଥିଲେ। ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।
ଅଧିକ ପଢ଼ନ୍ତୁ: ବାତ୍ସଲ୍ୟ ମମତା ଭୁଲିଗଲେ ୨ ଭାଇ; ଜନ୍ମଦାତ୍ରୀ ମା’ଙ୍କ ମୁହଁ ଚାହିଁଲେନି