ଭୁୁବନେଶ୍ୱର: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ମୋନ୍ଥା । ଆନ୍ଧ୍ର ପ୍ରଦେଶର କାକିନାଡାର ଦକ୍ଷିଣରେ ନରସାପୁର ନିକଟରେ ମୋନ୍ଥା ସ୍ଥଳଭାଗ ଛୁଇଁଛି । ରାତି ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି ଏହି ସାମୁଦ୍ରିକ ଝଡ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ମଧ୍ୟରେ ଥିଲା । ପବନର ଝଟକା ୧୧୦ କିମି ରହିଥିଲା । ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପବନ ସହ ବର୍ଷା ଲାଗି ରହିଛି ।
ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କାକିନାଡ଼ା, ବିଶାଖାପାଟଣା, କୃଷ୍ଣା, ପଶ୍ଚିମ ଗୋଦାବରୀ ଭଳି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାର ଅନେକ ସ୍ଥାନରେ ଗଛ ଉପୁଡିବା ସହ ବିଦ୍ୟୁତ ଖୁଣ୍ଟ ନଇଁ ପଡିଥିବା ଦେଖିବାକୁ ମିଲିଛି । ବିଦ୍ୟୁତ ସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ବାତ୍ୟା ଦକ୍ଷିଣ ଓଡିଶା ଦେଇ ଛତିଶଗଡ ଅଭିମୁଖେ ଗତି କରିବ ।
ତେବେ ବାତ୍ୟା ଯୋଗୁ ଓଡ଼ିଶାକୁ ବିଶେଷ କ୍ଷତି ସମ୍ଭାବନା ନାହିଁ। ତଥାପି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ଏହାର କିଛିଟା ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି। ଏସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ସନ୍ଧ୍ୟା ପ୍ରାୟ ୭ଟାରୁ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିଥିଲା।