ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। କୋଭିଡ-୧୯ର ୨୫୦ରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସମ୍ପ୍ରତି କୋଭିଡ୍ ମାମଲା ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶନିବାର ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କୋଭିଡ୍ ନେଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ବୈଠକରେ ସ୍ୱାସ୍ଥ୍ୟ ଗବେଷଣା ବିଭାଗର ଅଧିକାରୀ, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର)ର ମହାନିର୍ଦ୍ଦେଶକ ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ମହାନିର୍ଦ୍ଦେଶକ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ। ସୂତ୍ର ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଜାଗ ଅଛି ଏବଂ ଏହାର ବିଭିନ୍ନ ଏଜେନ୍ସି ମାଧ୍ୟମରେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି।
ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ମୃଦୁ ଏବଂ ଘରେ ରହି ଏହାର ଯତ୍ନ ନିଆଯାଇପାରିବ। ଦିଲ୍ଲୀ ସରକାର କୋଭିଡ୍ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛନ୍ତି ଏବଂ ହସ୍ପିଟାଲଗୁଡ଼ିକୁ ଶଯ୍ୟା, ଅକ୍ସିଜେନ, ଔଷଧ ଏବଂ ଟୀକାର ଉପଲବ୍ଧତା ସୁନିଶ୍ଚିତ କରିବାକୁ କହିଛନ୍ତି। ଜିନୋମ୍ ସିକୋଏନ୍ସିଂ ପାଇଁ ସମସ୍ତ ପଜିଟିଭ୍ ନମୁନା ଲୋକନାୟକ ହସ୍ପିଟାଲକୁ ପଠାଇବାକୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଭାରତରେ କୋଭିଡ-୧୯ର ଦୁଇଟି ନୂତନ ପ୍ରକାର, ଏନ୍ବି ୧.୮.୧ ଏବଂ ଏଲ୍ଏଫ୍.୭ ମିଳିଛି। ଉଭୟ ପ୍ରକାର ଘାତକ ନୁହେଁ। ବିଭିନ୍ନ ରାଜ୍ୟରେ ରିପୋର୍ଟ ହୋଇଥିବା ଅଧିକାଂଶ କୋଭିଡ୍ ମାମଲା ମୃଦୁ ପ୍ରକାରର। ରୋଗୀମାନଙ୍କୁ ଘରେ ରହି ଚିକିତ୍ସା କରାଯାଉଛି। ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କୋଭିଡ୍-୧୯ ମାମଲା ସମୀକ୍ଷା କରିଥିଲେ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି ଯେ ଏହି ପ୍ରକାରଗୁଡ଼ିକ ଅଧିକ ବିପଦପୂର୍ଣ୍ଣ ନୁହେଁ। ଚୀନ୍ ଏବଂ ଏସିଆର କିଛି ଅଂଶରେ ଏହି ପ୍ରକାରଗୁଡ଼ିକ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ‘ହୁ’ ଉଭୟ ପ୍ରକାର ଉପରେ ନଜର ରଖିଛି। ଭାରତୀୟ SARS-CoV-2 ଜେନୋମିକ୍ସ କନସୋର୍ଟିୟମ୍ର ତଥ୍ୟ ଅନୁସାରେ, ଏପ୍ରିଲ ମାସରେ ତାମିଲନାଡୁରେ ଏନ୍ବି.୧.୮.୧ର ଏକ ମାମଲା ଚିହ୍ନଟ ହୋଇଥିଲା। ମେ ମାସରେ, ଗୁଜରାଟରେ ଏଲ୍ଏଫ୍.୭ର ଚାରୋଟି ମାମଲା ଚିହ୍ନଟ ହୋଇଥିଲା। ମେ ୧୯ ସୁଦ୍ଧା ଦେଶରେ ୨୫୭ ଜଣ ସକ୍ରିୟ କୋଭିଡ୍ ମାମଲା ଥିଲେ।
ଅଧିକ ପଢ଼ନ୍ତୁ: ଆମେରିକାରେ ଭାରତୀୟ ସର୍ବଦଳୀୟ ପ୍ରତିନିଧି ଦଳ